ସମନ୍ୱୟର ଅଭାବ ପାଇଁ ଆଖିବୁଜିଲା ନବଜାତକ

ସତ୍ୟପାଠ ବ୍ୟୁରୋ : ଡାକ୍ତରଙ୍କ ସାମାନ୍ୟତମ ଦାୟିତ୍ୱହୀନତା ପାଇଁ ଉତ୍ତରପ୍ରଦେଶରେ ଏକ ନବଜାତ ଶିଶୁର ଜୀବନ ଚାଲିଯାଇଛି । ତେବେ ଦୁଇ ବିଭାଗର ଡାକ୍ତରଙ୍କ ମଧ୍ୟରେ ତାଳମେଳର ଅଭାବ ଏହି ନବ ଜାତକକୁ ତା ମା କୋଳରୁ ଛଡାଇ ନେଇଛି । ଏହି ଘଟଣା ଗଣମାଧ୍ୟରେ ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାଟି ଘଟିଛି ପଶ୍ଚିମ ଉତ୍ତର ପ୍ରଦେଶର ବରେଲି ଅଂଚଳରେ ଥିବା ଏକ ସରକାରୀ ଡାକ୍ତରଖାନାରେ । ଗତ ୪ ଦିନ ତଳେ ଏକ ଘରୋଇ ଡାକ୍ତରଖାନାରେ ଜନ୍ମିତ ଶିଶୁ କନ୍ୟାଟିର ବୁଧବାର ସକାଳୁ ନିଶ୍ୱାସପ୍ରସାଶ ନେବାରେ ସମସ୍ୟା ହୋଇଥିଲା । ତୁରନ୍ତ ଶିଶୁଟିକୁ ଧରି ପରିବାର ଲୋକେ ବରେଲି ହସପିଟାଲକୁ ଆଣିଥିଲେ । ତେବେ ଶିଶୁଟିକୁ ଚିକିତ୍ସା କରିବା ବଦଳରେ ପୁରୁଷ ବିଭାଗ ଦାୟିତ୍ୱରେ ଥିବା ଡାକ୍ତର ମହିଳା ବିଭାଗକୁ ପଠାଇଥିଲେ । ମହିଳା ବିଭାଗରେ ବେଡ୍ ନାହିିଁ କହି ପୁଣି ପୁରୁଷ ବିଭାଗକୁ ଶିଶୁଟିକୁ ରେଫର କରିଥିଲେ ମହିଳା ବିଭାଗ ଦାୟିତ୍ୱରେ ଥିବା ଡାକ୍ତର ।

ପ୍ରାୟ ୩ରୁ ୪ ଘଂଟା ଏ ବିଭାଗରୁ ସେ ବିଭାଗ ଦୌଡା ଦୌଡି କରିବା ପରେ ଶେଷରେ ଶିଶୁଟିକୁ ଘରକୁ ନେଇ ଯିବା ପାଇଁ ବାହାରିଥିଲେ ପରିବାର ଲୋକେ । ହେଲେ ହସପିଟାଲ ସିଡିରେ ହିଁ ଛୁଆଟି ଆଖି ବୁଜି ଦେଇଥିଲା ବୋଲି ତାର ଜେଜେମା ସୂଚନା ଦେଇଛନ୍ତି ।

ମାତ୍ର ୪ ଦିନର କଅଁଳା ଛୁଆଟା । ତା ପାଇଁ ପୁରୁଷ କି ମହିଳା ବିଭାଗର ବା କଣ ଆବଶ୍ୟକତା । ଯେ କେହି ଡାକ୍ତର ବି ଛୁଆଟିକୁ ପ୍ରଥମେ ଅନ୍ତତଃ ଦେଖିବାର ତ ଥିଲା । ହେଲେ ନିଜ ନିଜ ଦାୟିତ୍ୱରୁ ହଟିଗଲେ ସମସ୍ତେ । ଆଉ ଏମାନଙ୍କର ଏଇ ସମନ୍ୱୟର ଅଭାବ ପାଇଁ ଶିଶୁଟିର ଜୀବନ ଚାଲିଗଲା ।

ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ଟୁଇଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଦୁଇ ବିଭାଗର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେ ସୂଚନା ଦେଇଛନ୍ତି ।

Related Posts