ଅସୁରକ୍ଷିତ କାଶ୍ମୀର ! କୁଲଗାମରେ ଆତଙ୍କବାଦୀଙ୍କ ଗୁଳିମାଡରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ

ଶ୍ରୀନଗର: ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର | ଅସୁରକ୍ଷିତ ହୋଇପଡିଛନ୍ତି ହିନ୍ଦୁ | ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କ ଉପରକୁ ଟାର୍ଗେଟ କରି ଚାଲିଛନ୍ତି | ଏବେ ପୁଣି ଥରେ ଘାଟିରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ଗୁରୁବାର ଜମ୍ମୁକଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ କରିଛନ୍ତି। ଏହି ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ମୃତ୍ୟୁ ହୋଇଛି। ବିଜୟ କୁମାର ରାଜସ୍ଥାନର ବାସିନ୍ଦା ଥିଲେ।

ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଜିଲ୍ଲାର ଆରେହ ମୋହନପୋରାରେ ଅବସ୍ଥିତ ସ୍ଥାନୀୟ ଦେହାତି ବ୍ୟାଙ୍କରେ ଆତଙ୍କବାଦୀମାନେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡଥିଲେ। ଏହି ଆତଙ୍କବାଦୀ ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ଏକ ହାଇସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରିଥିଲେ। ସେ ଜଣେ କଶ୍ମୀର ପଣ୍ଡିତ ଥିଲେ। ଘାଟିରେ ଆତଙ୍କବାଦୀମାନେ ଲଗାତର ହିନ୍ଦୁ ନାଗରିକ ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି |

Related Posts