ପ୍ରେରଣା – କୋଭିଡରେ ଵାପାର ମୃତ୍ୟୁ ପରେ ୧୧ ଵର୍ଷର ଛୋଟ ଝିଅ ରିଲିଫ ପାଣ୍ଠିକୁ ଦେଲା ୨୦୦୦ ଟଙ୍କା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ସଙ୍କଟ ସମୟରେ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟରେ ସହଯୋଗର ହାତ ବଢାଉଛନ୍ତି। ତେବେ କୋଭିଡ୍ ରୋଗୀଙ୍କ ସହାୟତା ପାଇଁ ତାମିଲନାଡୁର ୧୧ ବର୍ଷର ଛୋଟ ଝିଅଟିଏ ର ସାହାଯ୍ୟ ଏବେ ପ୍ରଶଂସା ସାଉଁଟୁଛି। ସେ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଝିଅଟିର ନାଁ ଏନ୍ ରିଧାନା। ସେ ବାପା ମା ମିଠା ଓ ସ୍ନାକ୍ସ କିଣିବାକୁ ଦେଉଥିବା ଟଙ୍କା ସଞ୍ଚୟ କରି 1,970 ଟଙ୍କା ରଖିଥିଲା। ରିଧାନାର ବାପା ହୃଦଘାତରେ ପୀଡିତ । ବାପାଙ୍କ ଚିକିତ୍ସା ପାଇଁ ଝିଅ ଟି ଏହି ଟଙ୍କା ସଞ୍ଚୟ କରି ରଖିଥିଲା। ହେଲେ ଦୁର୍ଭାଗ୍ୟ ଏମିତି ଯେ ଫେବୃଆରୀ ମାସରେ ସମସ୍ତଙ୍କୁ ଏକାକରି ରିଧାନାର ବାପା ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଆଉ ବାପାଙ୍କ ଚିକିତ୍ସା ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ କୋଭିଡ୍ ରୋଗୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ପବ୍ଲିକ୍ ରିଲିଫ୍ ପାଣ୍ଠିକୁ ଦାନ କରିଛି । କୋଭିଲପାଟୀରେ ତୁତିକୋରିନ ସାଂସଦ କାନିମୋଜିଙ୍କୁ ସଞ୍ଚୟ ଟଙ୍କା ମୁଖ୍ୟମନ୍ତ୍ରୀ ପାଣ୍ଠି ଉଦ୍ଦେଶ୍ୟରେ ଦାନ କରିବା ପରେ ସେ କହିଛନ୍ତି ଯେ ,” ମୁଁ ଚାହୁଁ ନାହିଁ ଯେ ଆଉ କୌଣସି ପିଲା ସେମାନଙ୍କ ପିତାମାତାଙ୍କୁ ହରାଇ ମୋ ଭଳି ଯନ୍ତ୍ରଣା ଭୋଗନ୍ତୁ।  ୪୨ ବର୍ଷିୟ ନାଗରାଜ ଓ ଅମୁଥା(୩୭)ଙ୍କ ଝିଅ ଏନ୍ ରିଧାନା ସପ୍ତମ ଶ୍ରେଣୀରେ ପାଠ ପଢେ। ଝିଅର ବାପା ଏକ ଘରୋଇ ଫାର୍ମରେ ମ୍ୟାନେଜର ଭାବେ କାମ କରୁଥିଲେ। ବାପା ଜୀବିତ ଥିବା ପର୍ଯ୍ୟନ୍ତ ପରିବାରର ଆର୍ଥିକ ସ୍ଥିତି ଠିକ୍ ଠାକ୍ ଥିଲା। ତାଙ୍କ ସ୍ତ୍ରୀ କହିଛନ୍ତି,  “ମୋ ସ୍ବାମୀ ମାସକୁ 25,000 ଟଙ୍କା ରୋଜଗାର କରୁଥିଲେ। ସେ ହୃଦଘାତରେ ପୀଡିତ ଥିଲେ। ରିଧନା ଅନୁଭବ କରିଥିଲେ ଯେ ତାଙ୍କର ଚିକିତ୍ସା ବହୁତ୍ ମହଙ୍ଗା। ତେଣୁ ସେ ଡାକ୍ତରଖାନାରୁ ଘରକୁ ଫେରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଅଳ୍ପ କିଛି ସଂଚୟ କରିଥିଲା । କିନ୍ତୁ ଗତ ଫେବୃଆରୀରେ ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ” ସେହି ଦିନଠାରୁ ପରିବାର ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।  ଏବଂ ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କୁ ଛାଡି ଚାଲିଯାଇଥିଲେ।  ଅମୁଥା BTech ଓ ME ସ୍ନାତକ ଏବଂ ବିବାହ ପୂର୍ବରୁ ଏକ ଘରୋଇ କଲେଜରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ହେଲେ ବିବାହ ପରେ ଚାକିରି ଛାଡି ଦେଇଥିଲେ ଏବଂ ମହାମାରୀ କାରଣରୁ ସ୍ୱାମୀଙ୍କ ଦେହାନ୍ତ ପରେ ଆଉ ଚାକିରି ପାଇପାରିନଥିଲେ। ଏବେ ସେମାନେ କୋଭିଲପାଟ୍ଟିର ପାଣ୍ଡବର୍ମାଙ୍ଗଲାମର ରାଜୀବ ନାଗରରେ ଏକ ଭଡା ଘରେ ରହୁଛନ୍ତି । ଅମୁଥାଙ୍କ ବାପା କାମ କରି ଦୈନିକ ୫୦୦ ଟଙ୍କା ରୋଜଗାର କରନ୍ତି। ଏବଂ ସେମାନେ ଏକ ରାଶନ ଦୋକାନ ଦେଇ ସେଥିରୁ ଚଳୁଛନ୍ତି। ତେବେ ଟଙ୍କା ଅଭାବ ହେତୁ ଝିଅ ଟି ସ୍କୁଲ ଫି ଦେବାକୁ ଅସମର୍ଥ। ଏହା ସତ୍ତ୍ବେ ସେ ତାଙ୍କ ସଞ୍ଚୟ ଟଙ୍କା କୁ କୋଭିଡ୍ ରୋଗୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ।  ସେ କହିଛନ୍ତି ଯେ ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଲୁହ ତାଙ୍କୁ ପ୍ରଭାବିତ କରିଥିଲା।  ଯେତେବେଳେ ସେ ଏହି ସଞ୍ଚିତ ଅର୍ଥ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ତାଙ୍କ ମା କିମ୍ବା ପରିବାରର କୌଣସି ବ୍ୟକ୍ତି ତାଙ୍କୁ ମନା କରିନଥିଲେ। ତେବେ ସାଂସଦ କାନିମୋଜି ଝିଅଟିର ପାଠପଢା ପାଇଁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

Related Posts