ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ପାଇଁ ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି: କେନ୍ଦ୍ର କୃଷିମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀ ଆନ୍ଦୋଳନ ଦେଖା ଦେଇଥିବା ବେଳେ ଆଜି ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ଅର୍ଥ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଛନ୍ତି ବୋଲି ତାଙ୍କ ଟ୍ବିଟ୍‌ରେ ପ୍ରକାଶ କରିଛନି।

ତୋମାର ଟ୍ବିଟ୍‌ କରି ଲେଖିଛନ୍ତି ଯେ, ‘କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ ସହ ଆଜି ଓଡ଼ିଶାର ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଝାରବନ୍ଧ, ପଦ୍ମପୁରରେ ଯେ‌ାଗାଇ ଦିଆଯିବାକୁ ଥିବା ବୀମା ସହାୟତା ବିଷୟରେ ମୋର ଆଲୋଚନା ହୋଇଛି।’

ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଭାରତ ସରକାରଙ୍କ ଦ୍ବାରା ଗଠିତ ବୈଷୟିକ ପରାମର୍ଶଦାତା କମିଟି ଦ୍ବାରା ଏ ନେଇ ନିର୍ଣ୍ଣୟ ନିଆଯାଇଛି। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ହୋଇଛି। କୃଷକଙ୍କ ବୀମା କ୍ଲେମକୁ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।’

ଉଲ୍ଲେଖଯୋଗ୍ୟ, ଫସଲବୀମାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ ଥିବା ବେଳେ ଏବେ ସେଠାରେ ଫସଲବୀମାକୁ ନେଇ ଚାଷୀ ଆନ୍ଦୋଳନ ଉଭୟ ବିଜେଡି ଓ ବିଜେପି ପାଇଁ କାଳ ସାଜିଛି। ଏଥିପାଇଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୋଷ ଲଦାଲଦି ହେଉଛନ୍ତି। ଆଜି ପ୍ରଥମେ ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହାତଯୋଡି କେନ୍ଦ୍ର ସରକାରଙ୍କୁ ଫସଲବୀମା ରାଶି ମାଗିଥିବା ବେଳେ ଏବେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏହି ବୟାନ ଆସିଛି।

Related Posts