ବିଜେଡିରେ ଦାନା ବାନ୍ଧୁଛି ମେଳି !

ସତ୍ୟପାଠ ବ୍ୟୁରୋ : ବିଜେଡିରେ ଆରମ୍ଭ ହୋଇଛି ମେଳି । ଏ ମେଳି ସୁପ୍ରିିମୋଙ୍କ ବିରୋଧରେ ନୁହେଁ ବରଂ ଦଳପତିଙ୍କ ପାଖ ଲୋକ କିଏ ହେବ ତାକୁ ନେଇ ଚାଲିଛି କସରତ । ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ନେଇ କରାଯାଉଛି ମେଳି । ଏମାନଙ୍କୁ ମେଳି କରାଉଛନ୍ତି ନବୀନଙ୍କ ଟିମର ଜଣେ ମନ୍ତ୍ରୀ, ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଏବଂ ଓଡିଶା ହାଇକୋର୍ଟର ଜଣେ ଜଣାଶୁଣା ପ୍ରଭାବୀ ଓକିଲ । ସମସ୍ତେ ନବୀନଙ୍କ ଟିମ୍ର ସତ କିନ୍ତୁ ଏ ମେଳି ପଛର କାରଣ ହେଉଛି ବବି ଦାସଙ୍କ ପ୍ରଭାବକୁ ହ୍ରାସ କରିବା । ମୂଲଚାଲ କରି କାମ ହାସଲ କରାଇ ନେଉଥିବାରୁ ସବୁବେଳେ ହିରୋ ହେଉଛନ୍ତି ବବି ଦାସ । ନିଜେ ମନ୍ତ୍ରୀ ହୋଇ ନାହାଁନ୍ତି କିନ୍ତୁ ମନ୍ତ୍ରୀ ପଦ ବାଂଟୁଛନ୍ତି ବବି ।

ବିଜେଡିରେ ଯିଏ ରାଜନୀତି କରିଛି ସିଏ ଜାଣିଛି ଅରୁଣ, ଅତନୁ ଓ ସଂଜୟ ଯଦି ଏକାଠି ହେବେ ସବୁ ଏପଟ ସେପଟ କରିଦେବେ । କୁହାଯାଏ ପ୍ୟାରୀ ବାବୁଙ୍କୁ ଗଡାଇବା ପଛରେ ଏଇମାନଙ୍କ ମେଳି କାମ କରିଥିଲା । ଯେଉଁଥିପାଇଁ ଆଉ ହଲି ପାରି ନଥିଲେ ପ୍ୟାରୀ । ତେଣୁ ଏମାନେ ମେଳି ହେବେ ନାହିଁ ବୋଲି ଅରୁଣଙ୍କୁ ମନ୍ତ୍ରୀ କରାଯାଇଛି । ସଂଜୟ ନିର୍ବାଚନରେ ହାରିଲେ, ଅତନୁ ଜିତିଲେ କିନ୍ତୁ ତାଙ୍କୁ ମନ୍ତ୍ରୀ କରାଗଲା ନାହିଁ । ଏକଥା ପ୍ରାୟ ସମସ୍ତେ ଜାଣନ୍ତି ଯେ ସୁଶାନ୍ତ ସିଂ, ରୋହିତ ପୁଜାରୀ, ପ୍ରଣବ ବଳବନ୍ତରାୟଙ୍କ ଭଳି ବିଜେଡିରେ ସେକେଣ୍ଡ ଓ ଥାର୍ଡ ଜେନେରସନର ଯେଉଁ ନେତାମାନେ ରହିଲେ ସେମାନଙ୍କ ରିଙ୍ଗମାଷ୍ଟର ହେଉଛନ୍ତି ବବି ଦାସ । ଆଉ ତୃତୀୟ ମହଲାରେ ଉଭୟ ପାଣ୍ଡିଆନ ଓ ନବୀନ ବାବୁଙ୍କ ସହ ବବିଙ୍କ ଘନିଷ୍ଠତା କାହାକୁ ଅଛପା ନାହିଁ । ଯଦିଓ ଅନ୍ୟମାନଙ୍କର ସମ୍ପର୍କ ରହିଛି କିନ୍ତୁ କାମ କରାଇବାରେ ଦବଦବା ରହିଛି ବବିଙ୍କର ।

ଯଦିଓ ଅରୁଣ, ଅତନୁ, ସଂଜୟ ନିଜ ଆଡୁ ଏ ମେଳି କରୁ ନାହାଁନ୍ତି କିନ୍ତୁ ତାଙ୍କୁ ମେଳି କରାଯାଉଛି । ଜଣେ ବରିଷ୍ଠ ଓକିଲ ଯିଏ ଆଡଭୋକେଟ ଜେନେରାଲ ହେବା ପାଇଁ ଦାବିଦାର ଥିଲେ ବର୍ତ୍ତମାନ ସେ ବି ଏହି ଟିମରେ ଥିବା ଚର୍ଚ୍ଚା ହେଉଛି । ଶୁଣାହେଉଛି ଅଶୋକ ପରିଜାଙ୍କୁ ଆଡଭୋକେଟ ଜେନେରାଲ କରିବା ପଛରେ ବି କୁଆଡେ ବବିଙ୍କର ହାତ ଅଛି । ଆଉ ବର୍ତ୍ତମାନ କୋର୍ଟମାନଙ୍କରେ ଯେଉଁ ସରକାରୀ ଓକିଲ ନିଯୁକ୍ତି ହେବେ, ସେ ଚୟନ ପ୍ରକ୍ରିୟାରେ ବି ବବିଙ୍କର ପ୍ରଭାବ ଅଧିକ ରହିଥିବା କୁହାଯାଉଛି । ଯଦିଓ ଆଡଭୋକେଟ ଜେନେରାଲଙ୍କ ଓକିଲଙ୍କ ଚିଠା ଅନୁସାରେ ଆଇନ ବିଭାଗ ମୋହର ମାରେ କିନ୍ତୁ ଏବେ କୁଆଡେ ବବି ହିଁ ମେଜର ଚିଠା ତିଆରି କରୁଛନ୍ତି ଆଉ ତାହା ହିଁ ଫାଇନାଲ । ଯାହାକୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଅସନ୍ତୁଷ୍ଟ । ସମସ୍ତେ ଚାହାଁନ୍ତି ନିଜର ଓକିଲ ଟିଏ ସରକାରୀ ଓକିଲ ଭାବରେ ହାଇକୋର୍ଟରେ ଥିଲେ ମାଲି ମୋକଦ୍ଦମାରେ କାମରେ ଆସିବ କିନ୍ତୁ ବବିଙ୍କ ପାଇଁ ସବୁ ଆଶା ପାଣିଚିଆ ହୋଇଯାଉଥିବା ଚର୍ଚ୍ଚା ହେଉଛି ।

ଗୋଟିଏ ଓକିଲ ଗୋଷ୍ଠି ବି ଏଥିପାଇଁ ପୁରା କ୍ଷୁବ୍ଧ । ତାର କାରଣ ହେଲା, ଯେତେବେଳେ ଖଣି ଦୁର୍ନୀତି ଓ ଅନ୍ୟାନ୍ୟ ଦୁର୍ନୀତି ଦଳ ଆଡକୁ ଜୁଆର ଭଳି ମାଡି ଆସିଥିଲା ସେତେବେଳେ ସୁରକ୍ଷା ପ୍ରାଚୀର ପାଇଁ ୨୦୧୫ ନଭେମ୍ବରରେ ବିଜୁ ଆଇନଜୀବୀ ସାମ୍ମୁଖ୍ୟ ଗଠିତ ଗଢ଼ାହେଲା । ସେ ସମୟରେ ବହୁ ପ୍ରଭାବୀ ଓକିଲ ଏଥିରେ ମିଶିଥିଲେ କିନ୍ତୁ ଏବେ କୁଆଡେ ଏମାନଙ୍କୁ ଅଣଦେଖା କରାଯାଉଛି । ଏମିତିକି ସରକାରୀ ଓକିଲ ଚୟନରେ ଏମାନଙ୍କୁ ନଜର ଦିଆଯାଉନାହିଁ । ଆଇନମନ୍ତ୍ରୀ ଭାବେ ପ୍ରତାପ ଜେନା ବି ବବିଙ୍କ ଦବଦବା ଆଗରେ ଅସହାୟ ବୋଲି ଶୁଣିବାକୁ ମିଳୁଛି । କଟକର ଲୋକ ହୋଇ ହାଇକୋର୍ଟରେ ସରକାରୀ ଓକିଲ ନିଯୁକ୍ତି କ୍ଷେତ୍ରରେ ଆଇନମନ୍ତ୍ରୀ ଭାବେ ତାଙ୍କ ପାୱାର ଠୁ ଅଧିକ ଏବେ ବବିଙ୍କର କ୍ଷମତା । ତେଣୁ ଯଦିଓ ପ୍ରତାପ ଏ ମେଳିରେ ନାହାଁନ୍ତି କିନ୍ତୁ ବବିଙ୍କୁ ନେଇ ବି ଖୁସି ନାହାଁନ୍ତି । ଏବେ ଯଦି ଏହି ତ୍ରିମୂର୍ତ୍ତୀ ଏକାଠି ମେଳି ନହେଉଛନ୍ତି ତାହାହେଲେ ବବିଙ୍କ ପତା କାଟିବାକୁ ଆଉ କାହାର ସାହସ ହେବନି । ତେଣୁ ଭବିଷ୍ୟତ ସୁରକ୍ଷାକୁ ନଜରରେ ରଖି ଅତନୁ, ଅରୁଣ ଓ ସଂଜୟଙ୍କୁ ଏକାଠି କରିବାକୁ ଚାଲିଛି ପ୍ରୟାସ । ସେଥିପାଇଁ ଜଣେ ରିଟାୟାର୍ଡ ବ୍ୟୁରୋକ୍ରାଟ, ଜଣେ ପ୍ରଭାବଶାଳୀ ଓକିଲ ଆଉ ନବୀନଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ମିଶି ଏହି ମେଳି କରିବା ଆରମ୍ଭ କରି ଦେଇଛନ୍ତି ।

Related Posts