ସିବିଆଇ ଉପରେ ବିଶ୍ବାସ ନାହିଁ, ନବ ଦାସ ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ ହେଉ: ନରସିଂହ ମିଶ୍ର

ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆସିଥିବା ମୋସନ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ। ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ପ୍ରସଙ୍ଗରେ ଆଗତ ମୋସନ ଉପରେ ଗୁରୁବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ସରଗରମ ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ ଦାବି କରିଛନ୍ତି।

ଗୃହରେ ନରସିଂହ ମିଶ୍ର କହିଥିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି ଯେ, ନବ ଦାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ ଗୃହକୁ ଭୁଲ୍ ତଥ୍ୟ ଦେଇଛନ୍ତି। ସେପଟେ ଅଭିଯୁକ୍ତ ଗୋପାଳ ପାଗଳ ବୋଲି ପ୍ରମାଣ କରିବାକୁ ସରକାର ବ୍ୟସ୍ତ। ଷଡ଼ଯନ୍ତ୍ର ଦିଗ ଉପରେ ଅନୁସନ୍ଧାନ କରାଯାଉନାହିଁ। ତଦନ୍ତରେ ବହୁ ତ୍ରୁଟି ରହିଛି। ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି ରାଜ୍ୟ ସରକାର। ଏହା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ।କ୍ରାଇମବ୍ରାଞ୍ଚ ଏବେ ବିବାଦ ଘେରକୁ ଆସିଲାଣି। କଣ୍ଟାବାଞ୍ଝି ‌ଜେଲ୍‌ରେ ଗୋବିନ୍ଦ ସାହୁର ମୃତ୍ୟୁ ହେଲା। ଏତେ ଦିନ ପରେ ବି କ୍ରାଇମବ୍ରାଞ୍ଚ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା କି ତାକୁ ହତ୍ୟା କରାଗଲା ତାହା ଆଜି ପର୍ଯ୍ୟନ୍ତ ଜାଣିପାରିଲାନି। ମୋ ଦଳର ସିବିଆଇ ତଦନ୍ତ ଉପରେ ବିଶ୍ବାସ ନାହିଁ। ବିଜେପି କହୁଛି ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଗେଟ୍ ପାଖରୁ ଫେରିଆସୁଛି। ତେଣୁ ସିବିଆଇ କ’ଣ ତଦନ୍ତ କରିବ। ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ପ୍ରଶାସନିକ ଦୃଷ୍ଟିରୁ ନିଯୁକ୍ତି ଦେଇଛନ୍ତି କିନ୍ତୁ ବିଚାରବିଭାଗୀୟ ଦୃଷ୍ଟିରୁ ଦେଇନାହାନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତ କ’ଣ ତାହା ସମସ୍ତଙ୍କୁ ଜଣା। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ କରାଯାଇ ଘଟଣାର ଅନୁସନ୍ଧାନ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ସିବିଆଇ ଉପରେ ତାଙ୍କର କିମ୍ବା ତାଙ୍କ ଦଳର ଭରସା ନାହିଁ ବୋଲି ସେ କହିଛନ୍ତି।ତେଣୁ ଆମେ ଏସ୍‌ଆଇଟି ତଦନ୍ତ ଦାବି କରୁଛୁ ବୋଲି ନରସିଂହ କହିଛନ୍ତି।

Related Posts