
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍ତରପ୍ରଦେଶର ଲକ୍ଷ୍ନୌ ପୋଲିସ କମିଶନର କରୋନା ଆକ୍ରାନ୍ତ ଜଣେ ଥାଇଲାଣ୍ଡ ମହିଳାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏହି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଡେପୁଟି ପୋଲିସ୍ କମିଶନର୍ (ପୂର୍ବ) ସଞ୍ଜୀବ ସୁମନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି ବୋଲି ଲକ୍ଷ୍ନୌ କମିଶନର ଡି.କେ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡେପୁଟି କମିଶନରଙ୍କ ଟିମ୍ ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ଅନୁସନ୍ଧାନରୁ ମିଳିଥିବା ତଥ୍ୟକୁ ଆଧାର କରି ଅଗ୍ରୀମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଠାକୁର କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲରେ ଲକ୍ଷ୍ନୌକୁ ଆସିଥିବା ଥାଇଲ୍ୟାଣ୍ଡର ପିଆଥିଡା ନାମକ ଜଣେ ଯୁବତୀ କରୋନା ସଂକ୍ରମିତ ହୋଇଥିଲେ। ପରେ ଚିକିତ୍ସା ପାଇଁ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସରକାରୀ ସୂଚନାନୁସାରେ, ଥାଇଲାଣ୍ଡର ଯୁବତୀ ଜଣକ ମେ ୩ ତାରିଖରେ ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ ଏବଂ ଏହା ପରେ ଥାଇଲ୍ୟାଣ୍ଡର ଦୂତାବାସରୁ ଆବଶ୍ୟକୀୟ ଔପଚାରିକତା ସମ୍ପନ୍ନ କରି ତାଙ୍କ ଶବଦାହ କରାଯାଇଥିଲା।କିନ୍ତୁ ଘଟଣାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେବାରେ ଲାଗିଛି ଯେ ଯୁବତୀ ଜଣକ ଥାଇଲ୍ୟାଣ୍ଡର ଜଣେ କଲ ଗାର୍ଲ, ଯାହାକୁ ଲକ୍ଷ୍ନୌର ଜଣେ ବଡ ବ୍ୟବସାୟୀଙ୍କ ପୁଅ ଡାକିଥିଲେ। ସୂଚନା ଅନୁଯାୟୀ, ଯୁବତୀଙ୍କ ଭିସା 19 ମାର୍ଚ୍ଚ 2021 ରୁ 9 ଜୁନ୍ 2021 ପର୍ଯ୍ୟନ୍ତ ବୈଧ ଅଟେ। ମାର୍ଚ୍ଚରେ ସେ ନିଜେ ଭାରତ ଆସିଥିଲେ ଏବଂ ଏପ୍ରିଲ ମାସରେ ଏକ ଏଜେଣ୍ଟ ଜରିଆରେ ଲକ୍ଷ୍ନୌକୁ ଆସିଥିଲେ। ତେବେ ସୋସିଆଲ ମିଡିଆରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଏହି ଯୁବତୀଙ୍କୁ ଲକ୍ଷ୍ନୌକୁ ଡାକିଥିବା ଯୁବକଙ୍କ ପିତା ରାଜ୍ୟସଭା ସଦସ୍ୟ ଏବଂ ଜଣେ ବଡ ବ୍ୟବସାୟୀ। ସେପଟେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସଦସ୍ୟ ସଞ୍ଜୟ ସେଠ୍ ରବିବାର ଦିନ ଲକ୍ଷ୍ନୌର ପୋଲିସ କମିଶନରଙ୍କୁ ଏକ ଚିଠି ଲେଖି ଥାଇ ଯୁବତୀଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ମହିଳା କେଉଁ ହୋଟେଲରେ ରହିଛନ୍ତି ଏବଂ କିଏ ସେହି ହୋଟେଲ ବୁକ୍ କରିଛନ୍ତି, ହୋଟେଲରେ ଭେଟିଥିବା ସମସ୍ତ ଲୋକଙ୍କ ସିସିଟିଭି ଫୁଟେଜ, ଲକ୍ଷ୍ନୌରେ ତାଙ୍କ ମୋବାଇଲର ସମସ୍ତ ଲୋକେସନ୍ ଜାଣିବା ଉଚିତ। ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଲୋକଙ୍କ ସୂଚନା ସେ ଦାବି କରିଛନ୍ତି। ଏବଂ ଯେଉଁମାନେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।