JNU ହିଂସା ପଛରେ ଷଡ଼ଯନ୍ତ୍ର !

ଛାତ୍ରୁଙ୍କୁ ଆକ୍ରମଣ ପୂର୍ବରୁ ହ୍ବାଟ୍ସଆପରେ କୁହାଯାଇଥିଲା VC ଆମର

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ରବିବାର ସଂଧ୍ୟାରେ ଠେଙ୍ଗା-ବାଡ଼ି ଧରି ପ୍ରାୟ 50ରୁ ଅଧିକ ମୁଖାଧାରୀ ଛାତ୍ର ଏବଂ ଅଧ୍ୟାପକଙ୍କୁ ଅତର୍କିତ ଆକ୍ରମଣ କଲେ । ଏହି ମୁଖାଧାରୀଙ୍କ ମଧ୍ୟରେ କିଛି ମହିଳା ଏବଂ ଛାତ୍ରୀ ଥିବା ସିସିଟିଭି ଫୁଟେଜ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଆକ୍ରମଣକାରୀମାନେ ହଷ୍ଟେ ଭିତରେ ପଶି ଭଙ୍ଗାରୁଜା କରିବା ସହ ନିକଟରେ ଥିବା ଏକାଧିକ କାର୍‌କୁ ବି ଭାଙ୍ଗିଛନ୍ତି । ଆକ୍ରମଣରେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ଆଇଶୀ ଘୋଷ ଗୁରୁତର ଭାବେ ଆହତ ହୋଇଛନ୍ତି । ମୋଟ 24 ଜଣ ଆହତଙ୍କ ମଧ୍ୟରୁ 5 ଜଣ ଅଧ୍ୟାପକ ଥିବାବେଳେ 19 ଜଣ ଛାତ୍ର ଅଛନ୍ତି । ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

ସେପଟେ ମାର୍‌ପିଟ୍‌ ପାଇଁ ABVP କର୍ମୀଙ୍କୁ ଆହତ ଛାତ୍ରମାନେ ଦାୟୀ କରିଥିବା ବେଳେ ବାମପନ୍ଥି ସଂଗଠନର ଛାତ୍ରମାନେ ଏଭଳି କାଣ୍ଡ ଭିଆଇଥିବା ଏବିଭିପିର ନେତାମାନେ ଅଭିଯୋଗ କରିଛନ୍ତି । ଏପରିକି ଏବିଭିପିର କିଛି କର୍ମୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେମାନେ କହିଛନ୍ତି ।

ସାମ୍ବାଦିକ ଏବଂ ନେତାଙ୍କୁ ବି ମାଡ଼: ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ହିଂସାକାଣ୍ଡ ପରେ ଜେଏନ୍‌ୟୁ କ୍ୟାମ୍ପସ ଭିତରେ ସାମ୍ବାଦିକ ଏବଂ ପୂର୍ବତନ ଆପ୍‌ ନେତା ଯୋଗେନ୍ଦ୍ର ଯାଦବଙ୍କୁ ବି ମାରପିଟ୍‌ କରାଯାଇଛି । ଏନେଇ ଏକାଧିକ ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛ ତଦନ୍ତ ଆରମ୍ଭ କରିଦେଇଛି । କିଛି ଆକ୍ରମଣକାରୀଙ୍କୁ ଦିଲ୍ଲୀ ପୋଲିସ ଚିହ୍ନଟ କରିଥିବା ଜଣାପଡ଼ିଛି ।

JNU ହିଂସା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

JNUରେ ଗତକାଲି ହୋଇଥିବା ହିଂସା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଜେଏନ୍‌ୟୁର ପ୍ରଶାସନଠାରୁ ସିସିଟିଭି ଫୁଟେଜ ମାଗିଲା ଦିଲ୍ଲୀ ପୋଲିସ ।

JNU ହିଂସା ପଛରେ ଷଡ଼ଯନ୍ତ୍ର

ଗୁରୁତ୍ବପୂର୍ଣ୍ଣ କଥା ହେଲା JNUରେ ଗତକାଲି ଘଟିଥିବା ହିଂସା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ଘଣଟା ଘଟିବା ପୂର୍ବରୁ ହ୍ବାଟ୍ସଆପ ଜରିଆରେ ଭାଇରାଲ କରାଯାଇଥିବା ମେସେଜ ଏବେ ସାମ୍ନାକୁ ଆସିଛି ? ସେଥିରେ VC ଆମର ବୋଲି ଲେଖା ଯାଇଛି । ତେଣୁ ଏହାକୁ ବି ତଦନ୍ତ ପରିସରକୁ ଦିଲ୍ଲୀ ପୋଲିସ ନେବ ବୋଲି ସୂଚନା ମିଳିଛି ।

ହିଂସା ପୂର୍ବରୁ ହ୍ବାଟ୍ସଆପରେ କରାଯାଇଥିବା ମେସେଜର କିଛି ଅଂଶ

1- ଲୋକମାନେ ଜେଏନ୍‌ୟୁର ସମର୍ଥନରେ ଅଛନ୍ତି, ଜେଏନ୍‌ୟୁ ଗେଟ୍‌ ନିକଟକୁ ଆସୁଛନ୍ତି, ସେଠାରେ କିଛି କରିବାର ଅଛି କି ?

2-କିଭଳି ଥିଲା ଆଜିର ମ୍ୟାଚ୍ ?

3-ଏପର୍ଯ୍ୟନ୍ତ ସବୁ ଟିକ୍‌ ଅଛି, ଗେଟ ନିକଟରେ କିଛି କରିବା ଦରକାର
4- କ’ଣ କରିବାର ଅଛି ?

5- ତୁମେ କେଉଁଠି ?

6-ସାବରମତୀ ହଷ୍ଟେଲ ପଛପଟେ ?

7-ଏବେକାର ଷ୍ଟାଟସ କ’ଣ ?

8- ପୋଲିସ ତ ଆସି ନାହିଁ ?

8-ଭାଇ ଏହି ଗ୍ରୁପରେ ବି ବାମପନ୍ଥି ଆସିଗଲେ

9-ଲଙ୍କ୍‌ କାହିଁକି ସେୟାର କରାଯାଉଛି ?

10-ଭିସି ଏଣ୍ଟ୍ରି କରିବାକୁ ମନା କରିଛନ୍ତି, ସେ ଆମ ଭିସି

 କିଭଳି ଆରମ୍ଭ ହେଲା ହଙ୍ଗାମା ?

କିଛି ଦିନ ଧରି ଜେଏନ୍‌ୟୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା

କିଛି ଦିନ ପୂର୍ବରୁ ଆଗାମୀ ସେମିଷ୍ଟାର ପାଇଁ ଅନ୍‌ଲାଇନରେ ରେଜିଷ୍ଟେସନ ଆରମ୍ଭ ହୋଇଥିଲା

ରବିବାର ସକାଳ ଯାଏ 2200 ଛାତ୍ରଛାତ୍ରୀ ରେଜିଷ୍ଟେସନ କରିଥିଲେ

ଦ୍ବିପ୍ରହରରେ ବାମପନ୍ଥି ଛାତ୍ର କମ୍ପ୍ୟୁଟର ରୁମରେ ପହଞ୍ଚିଥିଲେ

ବାମପନ୍ଥି ଛାତ୍ରମାନେ ସେଠାରେ ଟାଟା କେବୁଲ ଟଣାଟଣି କରିଥିବା ଅଭିଯୋଗ ହୋଇଥିଲା

ଏହା ପରେ ଉଭୟ ବାମପନ୍ଥି ଏବଂ ଦକ୍ଷଣପନ୍ଥି ଛାତ୍ରଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା
ଅପରାହ୍‌ଣ 4ଟାରେ ଜେଏନ୍‌ୟୁ ଭିତରେ ଜୋରଦାର ହଙ୍ଗାମା ହୋଇଥିଲା

ହାତରେ ଅସ୍ତ୍ରଶସ୍ତ୍ର ଧରି କ୍ୟାମ୍ପସ ଭିତରେ ପଶିଥିଲେ ମୁଖାଧାରୀ

ବଦମାସମାନେ ମହିଳାଙ୍କୁ ଦୁର୍ବ୍ୟବହାର କଲେ

ଏହା ପରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧୁମ ପିଟିଲେ ମୁଖାଧାରୀ ଯୁବକ

ଲୁହା ରଡ଼, ଠେଙ୍ଗା-ବାଡ଼ି ଧରି ହଷ୍ଟେଲ ଭିତରେ ପଶିଲେ ଅସାମାଜିକ ଯୁବକ

ଏହା ପରେ ହଷ୍ଟେଲରେ ଭଙ୍ଗାଭଙ୍ଗି ଆରମ୍ଭ କରିଦେଲେ

JNUSUର ସଭାପତିକୁ ନିର୍ଦୟ ଭାବେ ଆକ୍ରମଣ କଲେ

ଜଣେ ମହିଳା ଫାକଲ୍ଟିଙ୍କୁ ମୁଣ୍ଡକୁ ପିଟି ଫଟେଇଦେଲେ

ହିଂସାକାଣ୍ଡ ପାଇଁ ABVP ଉପରେ ଅଭିଯୋଗ ହେଲା

ପୋଲିସ ଡେରି ରାତି ପର୍ଯ୍ୟନ୍ତ କ୍ୟାମ୍ପସ ବାହାରେ ରହିଥିଲା

ଗତକାଲିର ହିଂସା ପରେ JNUର ସାବରମତୀ ହଷ୍ଟେଲ ଅଧିକ୍ଷକ ଆର. ମୀନା ଇସ୍ତଫା ଦେଇଛନ୍ତି ।  ହଷ୍ଟେଲରେ ଛାତ୍ରଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣକୁ ଅଟକାଇବାରେ ସେ ସଫଳ ହୋଇପାରି ନଥିବାରୁ ଇସ୍ତଫା ଦେଇଥିଲେ ଇସ୍ତଫାପତ୍ରରେ ଲେଖିଛନ୍ତି ।

Related Posts