ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜିଏସଏଲଭି-ଏଫ-୧୦ ମିଶନ ଅସମ୍ପୂର୍ଣ୍ଣ: ଇସ୍ରୋ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଗୁରୁବାର ଦିନ କରାଯାଉଥିବା ଜିଏସଏଲଭି-ଏଫ-୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳ ୫.୪୩ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହି ମିଶନ ଆରମ୍ଭ ହୋଇଥିବା ବେଳେ ଏହା ବିଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

କ୍ରାୟୋଜେନିକ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ମିଶନ ବିଫଳ ହୋଇଥିବା ନେଇ ଘୋଷଣା କରାଯାଇଛି । ୨୬ ଘଣ୍ଟାର କାଉଣ୍ଟଡାଉନ୍ ପରେ ଗୁରୁବାର ସକାଳ ୫.୪୩ ମିନିଟରେ ଜିଏସଏଲଭି ରକେଟ ଉତକ୍ଷେପଣ କରାଯାଇଥିଲା । ୫୧.୭୦ ମିଟରର ରକେଟଟି ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା ।ରକେଟର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ ସଫଳ ହୋଇଥିଲା । କିନ୍ତୁ ମାତ୍ର କିଛି ମିନିଟ ମଧ୍ୟରେ ଏହି ମିଶନ ବିଫଳ ହୋଇଥିବା ନେଇ ଘୋଷଣା କରାଯାଇଥିଲା ।

ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଥିବା ସୂଚନା ରହିଛି। ପିଟିଆଇ ରିପୋର୍ଟ ଅନୁଯାୟୀ ଇସ୍ରୋ ଚେୟାରମ୍ୟାନ କେ ଶିବନ ମିଶନ ବିଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ଏହି ମିଶନର ଉଦ୍ଦେଶ୍ୟ ଥିଲା ଯେ ପ୍ରାକୃତିକ ବିପର୍ଯ୍ୟୟ, ଏପିସୋଡିକ୍ ଘଟଣାଗୁଡ଼ିକର ଖୁବ୍ ଶୀଘ୍ର ନୀରିକ୍ଷଣ ତଥା କୃଷି, ବନ ବିଭାଗ, ଜଳସମ୍ପଦ ପାଇଁ ସ୍ପେକ୍ଟ୍ରାଲ୍ ସ୍ବାକ୍ଷର ପାଇବା ପାଇଁ ବାରମ୍ବାର ବ୍ୟବଧାନରେ ବୃହତ ଅଞ୍ଚଳର ରିଅଲ୍ ଟାଇମ୍ ଇମେଜିଙ୍ଗ୍ ପ୍ରଦାନ କରିବା। ଏହି ମିଶନ ବିପର୍ଯ୍ୟୟ ଚେତାବନୀ, ସାଇକ୍ଲୋଥନ୍ ମନିଟରିଂ, କ୍ଲାଉଡ୍ ବିସ୍ଫୋରଣ ଏବଂ ବଜ୍ରପାତ ମନିଟରିଂରେ ମଧ୍ୟ ସାହାଯ୍ୟ କରିଥାନ୍ତା। ଚଳିତ ବର୍ଷ ISRO ର ଏହା ଦ୍ୱିତୀୟ ମିଶନ ଥିଲା । ଫେବୃଆରୀରେ, ସ୍ପେସ୍ ବଡି ବ୍ରାଜିଲର ଉପଗ୍ରହ ଆମାଜନିଆ -1 ଏବଂ 18 ସହ-ଯାତ୍ରୀ ଉପଗ୍ରହକୁ PSLV-C51 ରକେଟରେ ସଫଳତାର ସହ ଉତକ୍ଷେପଣ କରିଥିଲା ​​।

Related Posts