କରୋନାର ଦ୍ୱିତୀୟ ଲହରରେ ଅମ୍ଳଜାନ ଅଭାବ ହେତୁ କେବଳ ଗୋଟିଏ ରାଜ୍ୟରେ ହୋଇଛି ମୃତ୍ୟୁ : କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରରେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ? ଶେଷରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ସହାୟତାରେ ଥିବା କେତେକ ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିଲା। କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଦ୍ୱିତୀୟ ତରଙ୍ଗ ସମୟରେ ମେ ମାସରେ ଅମ୍ଳଜାନ ଅଭାବରୁ କିଛି ଲୋକଙ୍କର ମୃତ୍ୟୁ ଘଟିଛି।

ମନ୍ତ୍ରଣାଳୟ ଅନୁଯାୟୀ, ଭେଣ୍ଟିଲେଟର ସହାୟତାରେ ଥିବା କିଛି ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିଛନ୍ତି। ପାର୍ଲାମେଣ୍ଟରେ ସରକାର ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ’୧୦ରେ ଏସ୍‌ଭିଭିଆରଆର ହସ୍ପିଟାଲରେ କେତେକ ରୋଗୀ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଅକ୍ସିଜେନ ଟ୍ୟାଙ୍କ ଏବଂ ବ୍ୟାକଅପ୍‌ ସିଷ୍ଟମରେ ପରିବର୍ତ୍ତନ ମଧ୍ୟରେ ଅକ୍ସିଜେନ ଲାଇନର ପ୍ରେସର ଦୁର୍ବଳ ହୋଇଥିଲା। ଯେଉଁଥିପାଇଁ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। 

ତେବେ ମନ୍ତ୍ରଣାଳୟ ପକ୍ଷରୁ କେତେ ଜଣଙ୍କର ମୃତ୍ୟୁ ଘଟିଛି ସେ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ। ଏହାପୂର୍ବରୁ ରାଜ୍ୟଗୁଡିକରୁ ମିଳିଥିବା ତଥ୍ୟ ଆଧାରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଥିଲା ଯେ ରାଜ୍ୟ ସରକାର ଦେଇଥିବା ତଥ୍ୟରେ କେଉଁଠି ବି ଉଲ୍ଲେଖ କରାଯାଇନାହିଁ ଯେ, ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ଅମ୍ଳଜାନ ଅଭାବ ହେତୁ ରାଜ୍ୟମାନଙ୍କୁ ପୁନର୍ବାର ମୃତ୍ୟୁ ସଂଖ୍ୟା ଦେବାକୁ କୁହାଯାଇଥିଲା। 

Related Posts