‘ନିଜ ଆସନକୁ ଜିତି ରାଜ୍ୟରେ ସରକାର ଗଠନ କଥା କହିବା ବିଜେପିର ଦିବାସ୍ୱପ୍ନ’; ଧାମନଗର ଫଳାଫଳକୁ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । କଂଗ୍ରେସର ପ୍ରଦର୍ଶନ ମୋତେ ନିରାଶ କରିଛି। ମୁଁ କେବେ ଭାବିନଥିଲି କଂଗ୍ରେସ ୩,୫୦୦ ଭୋଟ ପାଇବ। ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ଆମକୁ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା।କେଉଁଠି ଭୁଲ ରହିଲା,ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇ ଯାଇପାରେ ।

ତେବେ ଉପନିର୍ବାଚନ ଫଳାଫଳକୁ ନେଇ ସେ କହିଛନ୍ତି ଯେ, ସେ ଆସନ ବିଜେପିର ଥିଲା । ତାପରେ ବିଜେଡି ଭିତରେ ଫାଟ ହେଲା ଯାହାର ସୁଯୋଗ ନେଲା ବିଜେପି। ଏହାଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ । ଏବଂ ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ, ସରଳ ପ୍ରକୃତିର । ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି । ହେଲେ ନିଜ ଆସନକୁ ଜିତି ୨୦୨୪ରେ ରାଜ୍ୟରେ ସରକାର ଗଠନ କଥା କହିବା ବିଜେପିର ଦିବାସ୍ୱପ୍ନ। ଏଭଳି ମନ୍ତବ୍ୟ ଦେଉଥିବା ଲୋକଙ୍କ ଉପରେ ଆମେ କଣ ଟିପ୍ପଣି ଦେବା ବୋଲି ନରସିଂହ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେଡି ବାରମ୍ବାର ନିର୍ବାଚନ ଜିତିବା ପରେ ଅହଂ ଭାବ ବଢି ଯାଇଛି । ସେ ଧରି ନେଇଛନ୍ତି ଲୋକେ ଆମକୁ ଭୋଟ ଦେବା ପାଇଁ ବାଧ୍ୟ । ନବୀନ ବାବୁ ଯାହାକୁ କହିବେ ସେ ଲାଇଟ ପୋଷ୍ଟ ହେଲେ ବି ଲୋକେ ଭୋଟ ଦେବା ପାଇଁ ବାଧ୍ୟ । ମହିଳା ମାନେ ବିଜେଡି ସହ ଅଛନ୍ତି ଏ ସବୁ ଭୁଲ ବୋଲି ପ୍ରମାଣିତ ହୋଇଛି । ଅତ୍ୟଧିକ ଔଧତ୍ୟ କି ଗର୍ବ ରହି ନାହିଁ କି ରହିବ ନାହିଁ । ସ୍ୱାଧୀନ ପ୍ରାର୍ଥୀ ବି ବଡ଼ ଫ୍ୟାକ୍ଟର । ନବୀନ ବାବୁ ଙ୍କ ନାଁ ରେ ଭୋଟ ଜିତିଛନ୍ତି ଆଉ ଯଦି ହାରୁଛନ୍ତି ନବୀନ ବାବୁ ବି ଦାୟୀ । ଏଥିରୁ ସ୍ପଷ୍ଟ ଲୋକେ ନବୀନ ପଟ୍ଟନାୟକଙ୍କୁ ନା ପସନ୍ଦ କରିବା ଆରମ୍ଭ କଲେଣି । ହାରିବା ପରେ ଲାଗୁଛି କିଛି ପରିମାଣରେ ଅହଂ ଭାବ ଟିକିଏ କମିଲା ଭଳି ଲାଗୁଛି ।

ଏହାସହିତ ପଦ୍ମପୁର ଉପନିର୍ବାଚନ ନେଇ ସେ କହିଛନ୍ତି ଯେ, ପଦ୍ମପୁର ନିର୍ବାଚନ ମୁଣ୍ଡ ଉପରେ। ପଦ୍ମପୁରରେ କଂଗ୍ରେସର ବେସ ଭୋଟ ରହିଛି। ଆମ ଯେତେ ନିର୍ବାଚନ ହୋଇଛି ଭଲ ଫାଇଟ ଦେଇଛି ଦଳ। ଆଶା କଂଗ୍ରେସ ସେଠି ବହୁତ ଭଲ କରିବ ।

Related Posts