ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ବ୍ୟବହାର ଓ କରୋନା କଟକଣା ନିୟମକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଶୁକ୍ରବାର ଦିଲ୍ଲୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥଳରେ ଯାତାୟତ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ କରାଯାଇଛି। ତେବେ ଘରୋଇ କାର୍ ଯୋଗେ ଯାଉଥିବା ଲୋକଙ୍କ ଉପରେ ଏହା ଲାଗୁ ହେବ ନାହିଁ।
ଗତକାଲି ଦିଲ୍ଲୀରେ ୯୬୫ ନୂଆ କରୋନା ସଂକ୍ରମୀତ ମାମଲା ଓ ଜଣଙ୍କ ମୃତ୍ୟୁ ଚିହ୍ନଟ ହୋଇଥିଲା। ସେହିପରି ଗତ ବୁଧବାର ୧୦୦୯ ନୂଆ ମାମଲା, ମଙ୍ଗଳବାର ୬୩୨ ମାମଲା, ସୋମବାର ୫୦୧ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହେବା ଦିଲ୍ଲୀରେ ଭୟର ବାତାବରଣ ସୃଷ୍ଟି କରିଛି। ୪.୭୧ ପ୍ରତିଶତ ହାରରେ ସଂକ୍ରମଣ ବଢ଼ିବା ସରକାରଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର ଓ କରୋନା କଟକଣା ଜନିତ ଜରିମାନା ଜାରି କରିବାର କାରଣ ହୋଇଛି।