ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ, ମୁସଲିମ ବିବାହ କ୍ଷେତ୍ରରେ ମଧ୍ୟ ଲାଗୁହେବ ପୋକ୍ସୋ ଆକ୍ଟ: କେରଳ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁସଲିମ ପର୍ସନାଲ ଲ’ ଏବଂ ବାଲ୍ୟ ବିବାହକୁ ନେଇ ବଡ ରାୟ ପ୍ରଦାନ କରିଛନ୍ତି କେରଳ ହାଇକୋର୍ଟ । ଜଣେ ଅଭିଯୁକ୍ତର ଜାମିନ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ‘ଯଦି ଅଭିଯୁକ୍ତ ମୁସଲିମ ସମ୍ପ୍ରଦାୟର ହୁଅନ୍ତି ତାହେଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ବିରୁଦ୍ଧରେ ପୋକ୍ସୋ ଆକ୍ଟ (POCSO Act) ଲାଗୁହେବ ।କୌଣସି ସମୁଦାୟଙ୍କୁ ଏହି ଆଇନରୁ ବାଦ୍‌ ଦିଆଯାଇପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ନାବାଳିକାଙ୍କୁ ବିବାହ କରନ୍ତି କିମ୍ବା ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ମଧ୍ୟ ଏହି ଆଇନ ଲାଗୁ ହେବ’।

କେରଳ ହାଇକୋର୍ଟଙ୍କ ଜଷ୍ଟିସ ବାଚୁ କୁରିୟନ ଥୋମାସଙ୍କୁ ନେଇ ଗଠିତ ଜଣିକିଆ ବେଞ୍ଚ କହିଛନ୍ତି ଯେ, ‘ପୀଡିତା ସଂଖ୍ୟାଲଘୁ ହୁଅନ୍ତି କିମ୍ବା ସାଧାରଣ ବର୍ଗ ନାବାଳିକା, ପୋକ୍ସୋ ଆଇନ ଲାଗୁ ହେବ’। ଏଭଳି ରାୟ ଶୁଣାଇବା ସହିତ କୋର୍ଟ ଜଣେ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ୩୧ ବର୍ଷୀୟ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିଲା । ପ୍ରଥମେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପରେ ପରିବାର ଚାପରେ ଉଭୟ ପକ୍ଷଙ୍କ ଆପୋଷବୁଝାମଣାରେ ବିବାହ ମଧ୍ୟ କରିଥିଲା ।

ମୁସଲିମ ପର୍ସନାଲ ଲ’ ଆଧାରରେ ଗତ ମାର୍ଚ୍ଚ ୨୦୨୧ରେ ସେ ବିବାହ କରିଥିବା କୋର୍ଟଙ୍କ ନିକଟରେ କହିଥିଲା । ଆଇନ ସେହି ନିୟମ ଅନୁଯାୟୀ ଉଭୟ ସ୍ବାମୀ-ସ୍ତ୍ରୀ ବୋଲି ନିଜ ବୟାନରେ କହିଥିଲା । ଏପରିକି ଅଭିଯୁକ୍ତ ଜଣକ ହରିୟାଣା, ଦିଲ୍ଲୀ ଏବଂ କର୍ଣ୍ଣାଟକ ହାଇକୋର୍ଟଙ୍କ ଅନେକ ରାୟ ଉପରେ ଉଦାହରଣ ମଧ୍ୟ ଦେଇଥିଲା । କିନ୍ତୁ ସେ ସବୁକୁ ଅଗ୍ରାହ୍ୟ କରି ତା’ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଲଗାଇଛନ୍ତି କୋର୍ଟ ।

Related Posts