
ତିରୁବନନ୍ତପୁରମ୍: କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ସହମତିରେ ଜଣେ ବିବାହିତ ମହିଳାଙ୍କ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିବା ପରେ ତାଙ୍କୁ ବିବାହ କରିବାକୁ ମନା କଲେ ତାହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ ।
ସୂଚନାଯୋଗ୍ୟ, ଜଣେ କୋଲାମ୍ବାସୀଙ୍କ ନାମରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲା ଖାରଜ କରିବା ସମୟରେ ଅଦାଲତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ସହିତ ଭାରତରେ ଓ ଅଷ୍ଟ୍ରେଲିଆରେ ଅନେକ ଥର ଦୈହିକ ସମ୍ପର୍କ ସ୍ଥାପନ କରିଥିଲେ। ଅଭିଯୋଗକାରିଣୀ କହିଛନ୍ତି, ବିବାହ କରିବେ ବୋଲି ଅଭିଯୁକ୍ତ ବାରମ୍ବାର ପ୍ରତିଶ୍ରୁତି ଦେବାରୁ ସେ ଦୈହିକ ସମ୍ପର୍କ ପାଇଁ ରାଜି ହୋଇଥିଲେ।
ଅଦାଲତ କହିଛନ୍ତି, ଆବେଦନକାରିଣୀଙ୍କ ସବିଶେଷ ବୟାନରୁ ପ୍ରମାଣ ମିଳୁଛି ଯେ, ସେମାନଙ୍କ ଦୈହିକ ସମ୍ପର୍କ ସହମତି ଆଧାରିତ। ‘ଆଇପିସି’ର ଧାରା ୩୭୬ ଅନୁସାରେ, ସହମତି ପାଇ ଦୈହିକ ସମ୍ପର୍କ ରଖିବା ପରେ ଯଦି ଜଣେ ବିବାହ ପାଇଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା ନ କରେ ତାହା ଅପରାଧ ପର୍ଯ୍ୟାୟଭୁକ୍ତ ନୁହେଁ। କିନ୍ତୁ, ଯଦି ବିନାସହମତିରେ ଦୈହିକ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି ପ୍ରମାଣିତ ହୁଏ, ତେବେ ତାହା ଏକ ଅପରାଧ।
ବିଚାରପତି କୌସାର୍ ଏଡ଼ାପ୍ପାଗାତ୍ କହିଛନ୍ତି ଯେ, ଏହି ମାମଲାର ଅଭିଯୋଗକାରିଣୀ ବିବାହିତା ଓ ପ୍ରେମିକଙ୍କ ସହିତ ସ୍ବେଚ୍ଛାରେ ଦୈହିକ ସମ୍ପର୍କ ରଖିଛନ୍ତି। ଏକଥା ମଧ୍ୟ ସେ ଜାଣିଥିଲେ ଯେ, ସେ ବିବାହିତା ହୋଇଥିବାରୁ ଆଇନ ଅନୁସାରେ ପ୍ରେମିକଙ୍କୁ ବିବାହ କରି ପାରିବେ ନାହିଁ। କାରଣ, ସେ ତାଙ୍କ ସ୍ବାମୀଙ୍କ ନିକଟରୁ ପୃଥକ୍ ହୋଇଯାଇଥିଲେ ବି, ଛାଡ଼ପତ୍ର ପ୍ରକ୍ରିୟା ଶେଷ ହୋଇନାହିଁ।
ତେଣୁ, ଅଭିଯୁକ୍ତଙ୍କ ନାମରେ ଆଗତ ମାମଲା ରଦ୍ଦ କରି ଅଦାଲତ କହିଛନ୍ତି, ଏହି ମାମଲାରେ ଠକାମି ହୋଇଥିବାର କୌଣସି ପ୍ରସଙ୍ଗ ନାହିଁ। ଏହାଛଡ଼ା, ସହମତିରେ ଦୈହିକ ସମ୍ପର୍କ ସ୍ଥାପନ ହୋଇଥିବା ଅଭିଯୋଗକାରିଣୀ କହୁଥିବାରୁ ତାହା ଦୁଷ୍କର୍ମ ନୁହେଁ ।