(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ତଳେ ମୋ ସାଇକେଲକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ସ୍ମାର୍ଟ ସିଟି ଭୁବନେଶ୍ବରରେ ୨୦୧୮ ନଭେମ୍ବରରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ମହାନଗରବାସୀଙ୍କୁ ଏକ ଭଲ ସ୍ୱପ୍ନ ଦେଖାଇଥିଲେ ସରକାର। ତେବେ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ, ମୋ ସାଇକେଲକୁ କବାଡିଆଙ୍କୁ ବିକ୍ରି କରି ଦିଆଯାଉଛି । କିନ୍ତୁ ସରକାର କହୁଛନ୍ତି କବାଡ଼ିଆଙ୍କୁ ବିକ୍ରି ନେଇ କିଛି ସୂଚନା ହିଁ ନାହିଁ ସରକାରଙ୍କ ପାଖରେ। ତେବେ ଏ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ଜଟଣୀ ବିଧାୟକ ସୁର ରାଉତରାୟ ଆଜି ଗୃହରେ ମୋ ସାଇକେଲ ପ୍ରସଙ୍ଗ ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟସିଟି ମାଧ୍ୟମରେ କେଉଁ ସଂସ୍ଥାଠାରୁ, କେତୋଟି ସାଇକେଲ ଓ ଗୋଟାକୁ କେତେ ଟଙ୍କାରେ କିଣାଯାଇଛି? ଏତଦ୍ ବ୍ୟତୀତ କିଣାଯାଇଥିବା ସାଇକେଲ ଗୁଡିକରୁ କେତୋଟି ଏବେ ବି ଚାଲୁଛି ଓ ରକ୍ଷାଣବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଆହୁରି ମଧ୍ୟ , କେତୋଟି ମୋ ସାଇକେଲ ଚୋରୀ ହୋଇଛି ଓ କେତୋଟି କବାଡିଆଙ୍କୁ ବିକ୍ରି ହୋଇଛି ଏହାର ଉତ୍ତର ମାଗିଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ତେବେ ସୁର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସପିଭି ଦ୍ୱାରା ୨୦୧୮ରେ କ୍ରୁଟ ମାଧ୍ୟମରେ ୩ଟି ସଂସ୍ଥା ଠାରୁ ପ୍ରତ୍ୟେକ ସାଇକେଲ ପିଛା ୨୫ ହଜାର ଟଙ୍କା ମୂଲ୍ୟରେ ୨୦୦୦ଟି ସାଇକେଲ କିଣାଯାଇଥିଲା ଏବେ ସେଥି ମଧ୍ୟରୁ ଏବେ ଆଉ ୧୦୦୦ଟି ସାଇକେଲ ଚାଲୁଛି। ବାକି ୧୦୦୦ ସାଇକେଲର ରକ୍ଷାଣବେକ୍ଷଣ ତଥା ମରାମତି ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ଯୋଜନାର ବିଫଳତାକୁ ଲୁଚାଇବାକୁ ଯାଇ କହିଛନ୍ତି ଯେ, ଜନସାଧାରଣଙ୍କ ଦ୍ୱାରା ଏହା ବେଶ ଆଦୃତ ହୋଇଛି।
ସେହିପରି ଏହି ସାଇକେଲ୍ ଗୁଡ଼ିକ ରକ୍ଷାଣବେକ୍ଷଣ ବାବଦ ପାଇଁ ଦୁଇଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଧରଣୀ ଏଣ୍ଟରପ୍ରାଇଜର୍ସକୁ ୨୯.୫୦ ଲକ୍ଷ ଟଙ୍କା ଓ ୟୁଲୁ ବାଇକସ ପ୍ରାଇଭେଟ ଲିମିଟେଡକୁ ୨୯.୫୦ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ସାଇକେଲ ଚୋରି କିମ୍ବା କବାଡିଆକୁ ବିକ୍ରି କରାଯିବାର ତଥ୍ୟ ସରକାରଙ୍କର ହସ୍ତଗତ ହୋଇନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।