ରାଜ୍ୟରେ ୩ ବର୍ଷରେ ୨୮୨ ହାତୀ, ୧୭ ବାଘ ମୃତ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ହାତୀ ଓ ବାଘଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କେଉଁ କାରଣରୁ ହାତୀ ଓ ବାଘଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ଏହାର ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ । ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଛି ବିଧାନସଭାରେ ଏହାର ବିବରଣୀ ପ୍ରଦାନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। 

ମନ୍ତ୍ରୀ ଗୃହରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ଅଥାର୍ତ ଗତ ୩ ବର୍ଷ ଭିତରେ ରାଜ୍ୟରେ ୨୮୨ଟି ହାତୀ ଆଖି ବୁଜିଛନ୍ତି । ୨୦୧୮-୧୯ ରେ ୯୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯-୨୦ ରେ ୮୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୦ ରେ ୭୭ ଓ ୨୦୨୧ ଅଗଷ୍ଟ ମାସ ଶେଷ ସୁଦ୍ଧା ୩୦ଟି ହାତୀଙ୍କର ମୃତ୍ୟୁ ହୋଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ । 

ତେବେ ମୃତ ହାତୀଙ୍କ ମଧ୍ୟରୁ ୭ଟି ହାତୀ ଶିକାରରେ ପ୍ରାଣ ହରାଇଥିବା ବେଳେ ୪୩ଟି ବିଦ୍ୟୁତ ଆଘାତରେ ଏବଂ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୩ଟି ହାତୀ। ସେହିପରି ସଡକ ଦୁର୍ଘଟଣାର ଶିକାର ହୋଇ ୪ଟି , ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୦୧, ପ୍ରାକୃତିକଜନିତ ୩୪, ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୫୯ଟି ହାତୀ ମୃତ୍ୟୁବରଣ କରିଛନ୍ତି। ତେବେ ୨୧ଟି ହାତୀର ମୃତ୍ୟୁର କାରଣ ଜଣାପଡିନଥିବା ମନ୍ତ୍ରୀ କହିଛନ୍ତି । 

ସେହିଭଳି ବାଘଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ୨୦୧୮ରୁ ଏଯାବତ୍ ମୋଟ ୧୭ଟି ବାଘ ପ୍ରାଣ ହରାଇଛନ୍ତି । ମୃତ ବାଘଙ୍କ ମଧ୍ୟରୁ ୧୫ଟି କଳରାପତରିଆ ବାଘଙ୍କର ଜୀବନ ଯାଇଥିବା ବେଳେ ୨ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଗୋଟିଏ ମହାବଳ ବାଘ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଆଉ ଗୋଟିଏ  ବାଘ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛି । 

ଅନ୍ୟପକ୍ଷରେ ୫ଟି କଲରାପତରିଆ ବାଘ ଶିକାରରେ ମୃତ୍ୟୁବରଣ କରିଥିବା ବେଳେ ରେଳ ଦୁର୍ଘଟଣାରେ ୧, ପ୍ରାକୃତିକ ଉପାୟରେ ୨, ଅନ୍ୟାନ୍ୟ ରୋଗରେ ୪ କଲରାପତରିଆ ବାଘଙ୍କର ମୃତ୍ୟୁ ଘଟିଛି । ସେହିଭଳି ୩ଟି କଲରାପତରିଆ ବାଘର ମୃତ୍ୟୁର କାରଣ ଜଣାପଡିନଥିବା ନେଇ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। 

Related Posts