ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଏକ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିବା ଛାତ୍ର ଶୁକ୍ରବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତକାଲି ସେ ଆଇଟିଆଇରୁ ଫେରିବା ପରେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ବିଷ ପିଇଥିବା ଛାତ୍ରଙ୍କ ନାମ ଆଶୁତୋଷ ମଲ୍ଲିକ । ସେ ଭଦ୍ରକ ତିହିଡିର ନନ୍ଦପୁରର ବାସିନ୍ଦା । ତିହିଡିରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ସେ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର।

ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜରେ ରାଗିଂ ହେବା ପରେ ସେ ଏଭଳି ଚରମ ପନ୍ଥା ଆପଣାଇଥାଇ ପାରନ୍ତି ବୋଲି ଛାତ୍ରଙ୍କ ଭାଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋ ଭାଇ ଘରୋଇ ଆଇଟିଆଇରେ ପାଠ ପଢ଼ୁଥିଲା। କିଛି ଛାତ୍ର ତାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଘରେ କାହାକୁ ନ ଜଣାଇ ସେ ବିଷ ପିଇ ଦେଇଥିଲେ ବୋଲି ଛାତ୍ରଙ୍କ ଭାଇ ଅଭିଯୋଗ କରିଛନ୍ତି। ଅନ୍ୟ କୌଣସି ଛାତ୍ର ଯେପରି ରାଗିଂର ଶିକାର ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

ଏହି ଘଟଣା ପରେ ଛାତ୍ରଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଏଯାଏ ଚେତା ଫେରିନଥିବା ଜଣାପଡ଼ିଛି। ଏହି ଘଟଣା ଓ ଅଭିଯୋଗ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଶୁତୋଷଙ୍କ ଘରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ। ଏବେ ଆଗକୁ ଆଶୁତୋଷଙ୍କ ସହପାଠୀଙ୍କୁ ପୋଲିସ ପଚରା ଉଚରା କରିବ ବୋଲି ସୂଚନା ରହିଛି।