ଓଡିଶା ଆସୁଛନ୍ତି ଜଗା-ବଳିଆ…

ଆଜି ନୂଆଦିଲ୍ଲୀର ଏମ୍ସରେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ହସପିଟାଲରୁ ଡିସ୍‌ଚାର୍ଜ କରାଯାଇ ଓଡ଼ିଶା ନିଆଯିବା ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏକ ଭାବପୂର୍ଣ୍ଣ ବାତାବରଣରେ ଏମ୍ସରୁ ଡିସଚାର୍ଜ ହେବା ପରେ ଜଗା-ବଳିଆଙ୍କୁ ନେଇ ଏକ ଡାକ୍ତରୀଦଳ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଅଭିମୁଖେ ବାହାରିଥିଲେ। ଆସନ୍ତାକାଲି ସେମାନେ କଟକରେ ପହଞ୍ଚିବା ପରେ ଜଗା-ବଳିଆଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯିବ।

ଏମ୍ସ ଛାଡ଼ିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡା.ହର୍ଷବର୍ଦ୍ଧନ କହିଲେ, ଓଡ଼ିଶାର କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଏହି ଯମଜ ଶିଶୁଙ୍କୁ ଏମ୍ସର ୭୫ ଜଣ ଡାକ୍ତର ଓ ୫୦ ଜଣ ନର୍ସ ଦୀର୍ଘ ୪୫ ଘଣ୍ଟାର ଅପରେସନ ପରେ ଅଲଗା କରିବାରେ ଯେଭଳି କୃତକାର୍ଯ୍ୟ ହୋଇଛନ୍ତି ବାସ୍ତବରେ ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା। ଡାକ୍ତରୀ ଦଳର କରୁଣା ମନୋଭାବ ଏବଂ ପ୍ରତିବଦ୍ଧତା ଯୋଗୁଁ ଏଭଳି ଏକ ଅସାଧାରଣ ଉପଲବ୍ଧି ହାସଲ ହୋଇଛି। ଏମ୍ସ ଡାକ୍ତରୀ ଦଳର ଟିମ ଏଫୋର୍ଟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ଉଦାହରଣ। ଆଜି ଜଗା-ବଳିଆ ଏମ୍ସରୁ ଡିସଚାର୍ଜ ହୋଇ ଓଡ଼ିଶା ଫେରୁଛନ୍ତି ଏଥିରେ ନିଶ୍ଚିତ ଭାବେ ଖୁସି ହେବା କଥା। କିନ୍ତୁ ଆଗକୁ ତାଙ୍କର ଜୀବନ ଯାତ୍ରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବ। ମେଡିକାଲରୁ ଡିସଚାର୍ଜ କେବଳ ଆରମ୍ଭ ମାତ୍ର। ଦିଲ୍ଲୀ ଏମ୍ସ ଲଗାତାର ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିବ ଏବଂ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ।

Related Posts