ଉତ୍ତର ପ୍ରଦେଶ ଔରୈୟାରେ ଅଭାବନୀୟ ଘଟଣା: ଦଶମ ଶ୍ରେଣୀରେ ପଢ଼ୁଥିବା ଦଳିତ ଛାତ୍ରକୁ ପିଟି ପିଟି ମାରିଦେଲେ ଶିକ୍ଷକ

ଲକ୍ଷ୍ନୌ: ରାଜସ୍ଥାନ ପରେ ଏବେ ଉତ୍ତର ପ୍ରଦେଶରୁ ଆସିଛି ଏକ ସମାନ ଅଭିଯୋଗ । ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଦଳିତ ଛାତ୍ରକୁ ପିଟି ପିଟି ମାରି ଦେଇଛନ୍ତି ଶିକ୍ଷକ। ଉତ୍ତର ପ୍ରଦେଶ ଔରୈୟା ଏଭଳି ଘଟଣା ଘଟିଛି। ଚିକିତ୍ସା ବେଳେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକ ହେଲେ ନିଖିଲ ଦୋହରେ। ଦଶମ ପରୀକ୍ଷାରେ ଭୁଲ୍ କରିବାରୁ ସେପ୍ଟେମ୍ବର ୭ ତାରିଖରେ ସାମାଜିକ ବିଜ୍ଞାନ ଶିକ୍ଷକ ଅଶ୍ୱିନୀ ସିଂହ ନିଖିଲଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ନେଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ନିଖିଲଙ୍କୁ ମାରିଥିବା ଶିକ୍ଷକ ମଧ୍ୟ ତାଙ୍କ ଚିକିତ୍ସା ଖର୍ଚ୍ଚରେ ସହଯୋଗ କରିଥିଲେ। ହେଲେ ଚିକିତ୍ସା ବେଳେ ନିଖିଲଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ସେପ୍ଟେମ୍ବର ୨୪ ତାରିଖରେ ନିଖିଲଙ୍କ ବାପା ରାଜୁ ଦୋହରେ ଅଛାଲଦା ଥାନାରେ ସ୍କୁଲ୍ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଶିକ୍ଷକ ଚିକିତ୍ସାରେ ସହଯୋଗ କରି ନାହାନ୍ତି ଓ ଜାତି ନେଇ ଖରାପ ଶବ୍ଦ ବ୍ୟବହାର କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୁକ୍ତି ଶିକ୍ଷକକୁ ଧରିବା ପାଇଁ ଅଛାଲଦା ଥାନା ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏନେଇ ଔରୈୟା ଏସ୍‌ପି ଚାରୁ ନିଗମ କହିଛନ୍ତି ” ମୃତ୍ୟୁ ଘଟଣା ବିଷୟରେ ଜାଣିବା ପ୍ୟାନେଲ୍ ସହ ଭିଡିଓଗ୍ରାଫି କରିବାକୁ ଆମେ ଇଟାୱାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆମେ କଥା ହୋଇ ଅନୁମତି ଆଣିଛୁ। ଘଟଣାରେ ୩ଟି ଟିମ ଗଠନ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।”

ଗତ ଅଗଷ୍ଟ ମାସରେ ରାଜସ୍ଥାନର ଜାଲୋରରେ ଜଣେ ୯ ବର୍ଷର ଦଳିତ ଛାତ୍ରକୁ ପିଟିପିଟି ମାରିଦେଇଥିଲେ ଶିକ୍ଷକ। ନାବାଳକ ଛାତ୍ରଟି ପାଣି ପିଇବାକୁ ସ୍କୁଲରେ ଥିବା ମାଠିଆକୁ ଛୁଇଁ ଦେବାରୁ ଶିକ୍ଷକ ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ। ଫଳରେ ଛାତ୍ରଙ୍କ କାନର ଶିରା ଫାଟି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସମୟରେ ଛାତ୍ରର ମୃତ୍ୟୁ ହୋଇଥିଲା।

Related Posts