ଯାଜପୁରର ତପସ୍ୟା ବ୍ୟାସନଗରରେ ଧୋଇଯିବ !

ବିଜେଡ଼ିର ଲେଖାଜୋଖା ଦୁଇ ନମ୍ବର ନେତା ବବି ଭାଇଙ୍କ କାନ୍ଧରେ ଏବେ ସାରା ରାଜ୍ୟର ଦାୟିତ୍ୱ କିନ୍ତୁ, ନିଜ ପଡ଼ିଶା ବ୍ୟାସନଗର (ଯାଜପୁର ରୋଡ଼)କୁ ନେଇ ତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି । ଏବେ ଚର୍ଚ୍ଚା ହେଉଛି ବବି ଭାଇ ରାଜ୍ୟ ସମ୍ଭାଳିବା ଆଗରୁ ଆଗେ ବ୍ୟାସନଗର ସମ୍ଭାଳ

ଯାଜପୁରର ବିଧାୟକ ତଥା ବିଜେଡିର ଦୁଇ ନମ୍ବର ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବ୍ୟାସନଗର ସହରକୁ ହଟାତ୍ ସମୀକ୍ଷା କରିବାକୁ ଯିବା ନେଇ ଜିଲ୍ଲା ରାଜନୀତି ଉଷ୍ମ ହୋଇଉଠିଛି। ସମସ୍ତଙ୍କ ମନରେ ଗୋଟିଏ କଥା କ’ଣ ଏପରି ଆବଶ୍ୟକ ପଡିଲା ବବିବାବୁ ବ୍ୟାସନଗର ପ୍ରତି ଏତେ ଉଦାର ହେବାକୁ ବାଧ୍ୟ ହେଲେ। ଚର୍ଚ୍ଚା ହେଉଛି ଯାଜପୁରର ପ୍ରସିଦ୍ଧ କୁସୁମା ପୋଖରୀର ତପସ୍ୟା କାଳେ ବ୍ୟାସନଗରର ବ୍ୟାସ ସରୋବର ପୋଖରୀରେ ଧୋଇଯିବାକୁ ବସିଛି।

ଏକଥା ସତ୍ୟପାଠରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ ଏବଂ ସ୍ବର୍ଗତ କଳ୍ପତରୁ ଦାସ ପ୍ରତ୍ୟକ୍ଷ ରାଜନୀତିରୁ ଦୁରେଇଗଲା ପରେ ଯାଜପୁର ରାଜନୀତିର ମଙ୍ଗ ଏବେ ବବି ବାବୁଙ୍କ ହାତରେ। ନିକଟରେ ରାଜ୍ୟ ରାଜନୀତିରେ ଖୁବ୍ ଗୁରୁତ୍ବ ହାସଲ କରିଥିବା ଛୁଆ ମାନ୍ୟବର ବବିବାବୁ ଯାଜପୁରର ବିକାଶ କଥା ଚିନ୍ତା କରିବାକୁ ଯାଇ ବେଶ୍ କିଛି ବର୍ଷ ହେବ କେବଳ ଯାଜପୁର ପୌର ପାଳିକାରେ ଅଟକି ଯାଇଛନ୍ତି। ରାସ୍ତାଘାଟର ସୌନ୍ଦର୍ଯ୍ୟୀକରଣ ହେଉ ବା କୁସୁମା ପୋଖରୀର ପୁନରୁଦ୍ଧାର ପର୍ଯ୍ୟନ୍ତ ସବୁ କିଛି ବବି ବାବୁଙ୍କ ଦାନ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଜିଲ୍ଲାର ଭୌଗଳିକ ପରିସୀମା ଆଉ ସମୃଦ୍ଧିର ନକ୍ସାକୁ ସମୀକ୍ଷା କଲେ ଦେଖାଯାଏ ଜିଲ୍ଲାର ଶତକଡା ୮୦ ପ୍ରତିଶତ ଅଞ୍ଚଳ ବିକାଶର ଏହି ଏଜେଣ୍ଡା ମଧ୍ୟରେ ନାହିଁ। ଜିଲ୍ଲାର ୭ଟି ନିର୍ବିଚନ ମଣ୍ଡଳୀ ମଧ୍ୟରୁ ସବୁକିଛି ଏବେ କେବଳ ଯାଜପୁର ତଥା ଜିଲ୍ଲା ସଦର ମହକୁମାରେ ଅଟକିଗଲା ପରି ଲାଗୁଛି।

ଯଦି ତୁଳନାତ୍ମକ ଚିତ୍ର ଦେଖନ୍ତି ଜିଲ୍ଲାର ଦୁଇଟି ପୌରପାଳିକା ମଧ୍ୟରୁ ବ୍ୟାସନଗର ଯାହା ସର୍ବଦା ଅବହେଳାର ଶିକାର ହୋଇଆସିଛି। ଗତ ୨୦ ବର୍ଷ ଧରି ବିଜେଡି କ୍ଷମତାରେ ଥିଲେବି ବ୍ୟାସନଗର ପ୍ରତି ସେପରି ଧ୍ୟାନ ଦିଆ ଯାଇନାହିଁ। ଅପର ପକ୍ଷରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳର ୧୫ରୁ ଉର୍ଦ୍ଧ ଶିଳ୍ପଗୋଷ୍ଠିଙ୍କର ଶୁଭଦୃଷ୍ଟି କିନ୍ତୁ ସର୍ବଦା ଯାଜପୁର ସହର ଉପରେ ରହି ଆସିଛି। ବବି ବାବୁଙ୍କ ଇଶାରାରେ ଜିଲ୍ଲା ଖଣିଜ ପାଣ୍ଠିର ସିଂହଭାଗ ଯାଜପୁର ସହରର ବିକାଶରେ ଖର୍ଚ୍ଚ ହେଉଛି। ବିଜେଡିର ଏହି ହେଭିଓ୍ବେଟ ନେତାଙ୍କର ଏଭଳି ପାତର ଅନ୍ତର ନୀତିକୁ ନେଇ ବ୍ୟାସନଗର ତଥା କୋରେଇ ଅଞ୍ଚଳରେ ପ୍ରତିକ୍ରିୟା ଦେଖିବାକୁ ମିଳୁଥିଲେବି ତାହା କିନ୍ତୁ ବାହାରକୁ ଜଣା ପଡୁନାହିଁ। ଯାଜପୁର ପୌରପାଳିକା ତାର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଇ ମୁମ୍ବାଇରୁ ସେଲିବ୍ରିଟଙ୍କୁ ଆଣି ନଚେଇ ପାରୁଥିବା ବେଳେ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବରକୁ ଆଡ ଆଖିରେ ବବିଙ୍କ ନଜର ନାହିଁ।

ଯାଜପୁରର କୁସୁମାର ପୁନରୁଦ୍ଧାର କରାଯାଇ ପାରୁଥିବା ବେଳେ ବ୍ୟାସ ସରୋବର ପୁସ୍କରଣୀର ପଙ୍କ ଉଦ୍ଧାର ହୋଇ ପାରୁନାହିଁ। ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ରୂପ ଦେବାକୁ ଯୋଜନା କରାଯାଉ ଥିବା ବେଳେ ବ୍ୟାସଦେବଙ୍କ ନାମରେ ନାମିତ ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦିନକୁ ଦିନ ତାର ଗୁଣବତ୍ତା ହରାଇ ବସୁଛି। ଜିଲ୍ଲାର ଏକମାତ୍ର ବଡ ରେଳଷ୍ଟେସନ ଥିବା ବ୍ୟାସନଗର ସହରର ମଧ୍ୟ ଭାଗରେ ଯାଇଥିବା ରେଳ ଲାଇନ୍ ପାର ହେବାକୁ ନେଇ ବର୍ଷବର୍ଷର ଅସନ୍ତୋଷ ରହିଥିଲେବି ଦ୍ବିତୀୟ ଓଭର ବ୍ରିଜ ହୋଇପାରୁ ନାହିଁ। ନାଁ ଏଠାରେ ଟାଉନ ହଲ୍ ଅଛି ନାଁ ଏଠାରେ ଭଲ ପାର୍କଟିଏ ଅଛି,କିନ୍ତୁ ଅବେଳରେ ବବିବାବୁ ଆସି ବ୍ୟାସନଗରର ବିକାଶ ପାଇଁ ସମୀକ୍ଷା କରିଛନ୍ତି। ଶୁଣିବାକୁ ମିଳୁଛି ଏହା ସମୀକ୍ଷା ପରିବର୍ତ୍ତେ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏହା ବବିଙ୍କ ସ୍ବତନ୍ତ୍ର ଯୋଜନା। ଶୁଣିବାକୁ ମିଳୁଛି ବବିବାବୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯାଉଛନ୍ତି।

ଗୋଟିଏ ପଟେ ତାଙ୍କ ପସନ୍ଦର କୋରେଇ ବିଧାୟକ ପ୍ରାର୍ଥୀ ଅଶୋକ ବଳଙ୍କ ଉପରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇ ଚାଲିଥିବା ବେଳେ ବବିଙ୍କ ହଟାତ୍ ବ୍ୟାସନଗର କଥା ମନେପଡିବା ଘଟଣା ପଛର ରହସ୍ୟକୁ ସ୍ପଷ୍ଟ କରିଦେଉଛି। ଏହାକୁ ନେଇ କୋରେଇରୁ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଲଢିଥିବା ଇଂ ବିଶ୍ବଜିତ ମହାନ୍ତି ତିବ୍ର ନିନ୍ଦା କରିଛନ୍ତି। କେତେଦିନ ଆଉ ବ୍ୟାସନଗରକୁ ଅବହେଳେ କରାଯିବ ବୋଲି ସେ ଖୋଲାଖୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଜଣାଇଛନ୍ତି। ବବି ବାବୁଙ୍କୁ ନେଇ ଯାଜପୁର ରାଜନୀତିରେ ଚାପା ଅସନ୍ତୋଷର ବ୍ୟାସନଗର ହେଉଛି ଛୋଟିଆ ଉଦାହରଣ ହେଲେ ଏହି ସମାନ ସ୍ଥିତି ଏବେ ସାରା ଜିଲ୍ଲାରେ ସୁପ୍ତ ଅବସ୍ଥାରେ ଅଛି। ପ୍ରଶ୍ନଉଠୁଛି ଯଦି ସ୍ବୟଂ ନିଜ ଜିଲ୍ଲାରେ ବବିଙ୍କୁ ନେଇ ଏଭଳି ଅସନ୍ତୋଷ ଦାନା ବାନ୍ଧୁଛି ତାହେଲେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବ କ’ଣ ରହିବ ତାହା ଦେଖିବାକୁ ବାକି ରହିଲା।

ନିର୍ବାଚନ ସରିବାର ବର୍ଷକ ପରେ ବବିବାବୁଙ୍କ କୋରେଇ ଓ ବ୍ୟାସନଗର କଥା ମନେପଡିବା ପରୋକ୍ଷରେ ତାଙ୍କ ରାଜନୈତିକ ଅସ୍ଥିରତାକୁ ପ୍ରମାଣିତ କରୁଛି। ଆଗକୁ ପୌର ନିର୍ବାଚନ, ଆଉ କୋରେଇବାସୀଙ୍କ ବିଧାୟକ ଅଶୋକ ବଳଙ୍କ ଉପରେ ଅସନ୍ତୋଷ ଆଗକୁ ବିଷ୍ପୋରକ ସ୍ଥିତିରେ ପହଞ୍ଚିବା ପୂର୍ବରୁ ବବିବାବୁ ସମୀକ୍ଷା ନାଁରେ ତାଳିପକା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ସମୟ କହିବ ଆଗକୁ ଏ ସମୀକ୍ଷାର ଫଳ କ’ଣ ହେବ ହେଲେ ଏକଥା ସତ୍ୟ ବବିଙ୍କ ଦୂରଦୃଷ୍ଟିର ଅଭାବ ପାଇଁ କୁସୁମାର ସବୁ ପୂଣ୍ୟ ବ୍ୟାସ ସରୋବର ପୁସ୍କରଣୀରେ ଧୋଇ ଯିବାକୁ ବସିଛି।

 

Related Posts