ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର: ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀକୁ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନର ବାସକୁଚାନ ଇମାମସାହିବରେ ଏନକାଉଣ୍ଟର ହୋଇଛି । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳ । ଏବେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି ସୁରକ୍ଷାବାହିନୀ ।

ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଗୁଳି ବିନିମୟ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବଳର ଯବାନ । ସେନା, ସିଆରପିଏଫ ଓ ପୋଲିସର ମିଳିତ ଅପରେସନ ସଫଳ ହୋଇଛି । ଜଣେ ଆତଙ୍କୀ ନିପାତ ହୋଇଛି । ନିପାତ ଆତଙ୍କୀ ହେଲା ନାଓପୋରାର ନାଶିର ଅହମ୍ମଦ ଭଟ୍ଟ । ସେ ଲସ୍କର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି ।

Related Posts