ଅଭୟାରଣ୍ୟରେ ବାଘର ଭିଡିଓ କରି ଫସିଲେ ଅଭିନେତ୍ରୀ, ରବିନା ଟଣ୍ଡନଙ୍କ ବିରୋଧରେ ଯାଞ୍ଜ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିୟମ ଉଲଂଘନ କରି ଫସିଲେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ବିରୋଧରେ ଜାରି ହେଲା ଯାଞ୍ଜ ନିର୍ଦ୍ଦେଶ। ନିକଟରେ ରବିନା ଟଣ୍ଡନ ମଧ୍ୟପ୍ରଦେଶର ସାତପୁରା ବାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ଏଠାରେ ସେ ନିଷେଧାଅଞ୍ଚଳର ଅତି ନିକଟରୁ ମହାବାଘର ଭିଡିଓ ଉତ୍ତୋଳନ କରିଥିଲେ। ପରେ ଏହି ଭିଡିଓକୁ ସେ ୨୫ ତାରିଖରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଥିଲେ। ତେବେ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାପରେ ତାଙ୍କ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଯାଞ୍ଚ ପାଇଁ ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସାମ୍ନାକୁ ଆସିଥିବା ଭିଡିଓରେ ରବିନା ଟୁରିଷ୍ଟ ଗାଇଡ୍‌ଙ୍କ ଉପସ୍ଥିତିରେ ବାଘଙ୍କ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁଁ ବାଘମାନେ ମଧ୍ୟ ବିଚଳିତ ହୋଇପଡିଥିବା ନଜର ଆସିଛନ୍ତି। ତେବେ ରବିନାଙ୍କ ଏଭଳି ଭିଡିଓ କରିବା ଏସ୍‌ଟିଆର୍ କର୍ମଚାରୀଙ୍କ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି। ଏଥିସହ ଅଭନେତ୍ରୀ ଓ ତାଙ୍କ ଝିଅଙ୍କୁ ଜାତୀୟ ଉଦ୍ୟାନରେ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଇଥିବା ନେଇ ଅଭିଯୋଗ ଉଠିଛି।

ନିୟମ ଅନୁଯାୟୀ ଜାତୀୟ ଉଦ୍ୟାନରେ ଜୀବଜନ୍ତୁଙ୍କ ଠାରୁ ୨୦ମିଟର ଦୂରରେ ରହିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ଜଙ୍ଗଲ ସଫାରୀ ବେଳେ ପର୍ଯ୍ୟଟକଙ୍କୁ ଗାଡିରୁ ଶରୀରର କୌଣସି ଅଂଶ ବାହାର କରିବାକୁ ମନା ହେବା ସହ ଗାଡିରୁ ତଳକୁ ଓହ୍ଲାଇବା ବାରଣ କରାଯାଇଛି। କେବଳ ସେତିକି ନୁହେଁ ଗାଇଡ୍‌ଙ୍କ କାଥା ମାନିବାକୁ ନିୟମ ଲାଗୁ କରାଯାଇଛି। କିନ୍ତୁ ଏସବୁ ନିୟମକୁ ଅଭିନେତ୍ରୀ ରବିନା ଟଣ୍ଡନ ଭାଙ୍ଗିଥିବା ଜଣାପଡିଛି। ଯଦି ଯାଞ୍ଚ ରିପୋର୍ଟରେ ରବିନା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାତପୁରା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି।

Related Posts