ଜାପାନ ସରକାରଙ୍କ ନୂଆ ସ୍କିମ୍‌; ରାଜଧାନୀ ଛାଡ଼ି ଗାଁରେ ରହିଲେ ମିଳିବ ୬ ଲକ୍ଷ ଟଙ୍କା

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଜାପାନ ରାଜଧାନୀ ଟୋକିଓ ଅତ୍ୟଧିକ ଜନବହୁଳ ହୋଇପଡ଼ିଥିବାରୁ ଏଠାରେ ଅନେକ ସମସ୍ୟା ଉପୁଜୁଛି । ଏଭଳି ସ୍ଥିତିରେ ଜାପାନ ସରକାର ଏକ ନୂଆ ସ୍କିମ୍‌ ଘୋଷଣା କରିଛନ୍ତି । ଟୋକିଓ ଛାଡ଼ି ଲୋକମାନେ ଗ୍ରାମରେ ବାସ କଲେ ସେମାନଙ୍କ ପିଲାଙ୍କ ପିଛା ୭,୭୦୦ ଡଲାର (୬.୩୬ ଲକ୍ଷ ଟଙ୍କା) ମିଳିବ ବୋଲି କୁହାଯାଇଛି । କମ୍‌ ଲୋକ ରହୁଥିବା ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ଏହି ସୁବିଧା ମିଳିବ । ତେବେ ପିଲାମାନଙ୍କୁ ୧୮ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ ।

ସରକାର ଆହୁରି କହିଛନ୍ତି ଯେ, ଯୁବ ବର୍ଗର ପିତାମାତା ଟୋକିଓ ଛାଡ଼ି ଅନ୍ୟଠାରେ ରହିଲେ, ସେମାନଙ୍କୁ ଅନ୍ୟ ସୁବିଧା ବି ଯୋଗାଇ ଦିଆଯିବ । ଏହି ସ୍କିମ୍‌ ଦ୍ୱାରା ୨୦୨୭ ସୁଦ୍ଧା ରାଜଧାନୀରୁ ପ୍ରାୟ ୧୦,୦୦୦ ଲୋକ ଗ୍ରାମାଞ୍ଚଳରେ ବସବାସ କରିବେ ବୋଲି ଜାପାନ ସରକାର ଆଶା ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଟୋକିଓର ଜନସଂଖ୍ୟା କମାଇବା ପାଇଁ ଜାପାନ ସରକାର ପ୍ରଥମ ଥର ପାଇଁ ଏଭଳି ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । କିନ୍ତୁ ଏହାଯୋଗୁ ସହରର ଜନସଂଖ୍ୟା ଏତେ କମିବା ସମ୍ଭାବନା ନ ଥିବା କୁହାଯାଉଛି । କାରଣ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ କାମ ମିଳୁ ନ ଥିବାରୁ ଲୋକମାନେ ସହରମୁହାଁ ହେଉଛନ୍ତି । ୬ ଲକ୍ଷ ଟଙ୍କା ସରିବା ପରେ ଲୋକେ ପୁଣି ଟୋକିଓମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଟୋକିଓ ସମେତ ପ୍ରମୁଖ ସହରର ଜନସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି ।

Related Posts