ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଜେଡି(ଏସ)

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ଲାଗି ଜେଡି(ଏସ) ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି। ଦଳ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛି। ଜେଡି(ଏସ)ର ବିଧାୟକ ଦଳ ଉପନେତା ବାନ୍ଦେପା କାଶେମପୁର ଦଳ ତରଫରୁ ଏହି ଘୋଷଣା କରିଛନ୍ତି। କାଶେମପୁର କହିଛନ୍ତି ବିଧାନସୌଧରେ ଅନୁଷ୍ଠିତ ହୋଇଥିବା ଜେଡି(ଏସ) ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ଦଳର ସୁପ୍ରିମୋ ଏଚ୍ ଡି ଦେବଗୌଡା ଦେଶର ପ୍ରଧାନମନ୍ତ୍ରୀ ଥିବାବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ଦେବଗୌଡ଼ା ଙ୍କ ଇଚ୍ଛା ଅନୁଯାୟୀ ଅଟେ।ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ସେ କହିଛନ୍ତି।ସବୁ ଦିଗକୁ ଲକ୍ଷାରଖି ଦଳ ତରଫରୁ ଦ୍ରୌପଦୀଙ୍କୁ ସମର୍ଥନ ନିଷ୍ପତି ନିଆଯାଇଥିବା କାଶେମପୁର କହିଛନ୍ତି। ତେବେ ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ, ଦଳର ରାଜ୍ୟ ସଭାପତି ସି ଏମ୍ ଇବ୍ରାହିମ୍ ଏବଂ ଦଳର ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ଘୋଷଣା ହେବାର ପରଦିନ ଦ୍ରୌପଦୀ ମୁର୍ମୁ ଦେବଗୌଡାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସମର୍ଥନ ଲୋଡିଥିଲେ। ଏଥିସହ ଦ୍ରୌପଦୀ ନିଜର ବେଙ୍ଗାଲୁରୁ ଗସ୍ତ ସମୟରେ ମଧ୍ୟ ଦେବଗୌଡା ଏବଂ କୁମାରସ୍ୱାମୀଙ୍କୁ ଭେଟି ସମର୍ଥନ ମାଗିଥିଲେ।

Related Posts