ଟଙ୍କା ପାଇଁ ଝରାଫୁଲକୁ ହତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା ରାକେଶ ସ୍ୱାଇଁ। ଆଜି ଏହି ଘଟଣାର ତୃତୀୟ ଅଭିଯୁକ୍ତକୁ ଗିରଫ ପରେ ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଯାଜପୁର ଏସ୍‌ପି ରାହୁଲ ପିଆର୍ । ପ୍ରେସମିଟ୍ କରି ଏସପି କହିଛନ୍ତି, ଗାଡ଼ି କିଣିବା ପାଇଁ ଝରାଫୁଲ ଠାରୁ ଟଙ୍କା ନେଇଥିଲା ରାକେଶ ସ୍ୱାଇଁ । ଧାର ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଟଙ୍କା ଫେରସ୍ତ ନକଲେ ଘରକୁ ଯାଇ କହିବ ବୋଲି ଝରାଫୁଲ ରାକେଶକୁ ଚେତାବନୀ ଦେଇଥିଲା। ଏହା ପରେ ପ୍ରତିଶୋଧ ପରାୟଣ ହୋଇ ହତ୍ୟାର ଷଡଯନ୍ତ୍ର ରଚିଥିଲା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ । ଟଙ୍କା ଦେବା ବାହାନରେ ଭୁବନେଶ୍ବରର ଏକ ଜନ୍ମଦିିନ ପାର୍ଟିକୁ ଆସିଥିବା ବେଳେ ଝରାଫୁଲକୁ ଅଟକାଇ ଥିଲା ରାକେଶ। ଏହାପରେ ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେଇଯାଇ ସେଠାରେ ବଳପୂର୍ବକ ମଦ ପିଆଇ ଚେତାଶୂନ୍ୟ କରିଦେଇଥିଲା । ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ହତ୍ୟା ପରେ ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଉଭୟ ସହଯୋଗୀଙ୍କୁ ଡାକି ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା ରାକେଶ। ଘଟଣାରେ ପୂର୍ବରୁ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ତୃତୀୟ ଅଭିଯୁକ୍ତକୁ ଯାଜପୁର ପୋଲିସ ଭୁବନେଶ୍ବରରୁ ଗିରଫ କରିଛି। ତେବେ ଅଧିକ ପଚରାଉଚରା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ମାମଲାର ଚାର୍ଜସିଟ୍ ଖୁବ୍ ଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।

Related Posts