ମଦ ମାଫିଆଙ୍କ ବିଭତ୍ସ କାଣ୍ଡ, ବିରୋଧ କରିବାରୁ ମହିଳାଙ୍କୁ ପଥରରେ ଛେଚି ହତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ମଦକୁ ବିରୋଧୀ କରିବାରୁ ମହିଳାଙ୍କୁ ନୃଶଂସ ଭାବେ ପଥରରେ ଛେଚି ଛେଚି ହତ୍ୟା କରିଛି ମଦ ବେପାରୀ। ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ବରେଇଁ ଗ୍ରାମରେ ଏହି ଘଟଣା ଘଟିଛି ଯାହାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ହତ୍ୟା କରାଯାଇଥିବା ମହିଳାଙ୍କ ନାଁ ହେଉଛି ଲକ୍ଷ୍ମୀ ଜେନା (୩୬)। ଲକ୍ଷ୍ମୀ ଜେନା ଗାଁରେ ମଦ ବିରୋଧୀ ଅଭିଯାନ‌ର ନେତୃତ୍ବ ନେଉଥିଲେ। କିଛିଦିନ ପୂର୍ବେ ଚୋରା ମଦ ବିକ୍ରି ବନ୍ଦ କରିବାକୁ ନେଇ ଗାଁରେ ଏକ ବୈଠକ ବସିଥିଲା। ଗତ ଏପ୍ରିଲ ୨୧ ତାରିଖ ଦିନ ମଙ୍ଗଳପୁର ଥାନା, ଅବକାରୀ ବିଭାଗ ଓ ଯାଜପୁର ଜିଲ୍ଲାପାଳଙ୍କୁ ଏ‌ ନେଇ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଉଭୟ ପକ୍ଷକୁ ଡକାଇ ଆପୋସ ସମାଧାନ କରିଥିଲେ। କିନ୍ତୁ ମଦ ବେପାରୀ ମଣ୍ଟୁ ଏଥିରେ ରାଜି ହୋଇନଥିଲା। ଏହାକୁ ଲକ୍ଷ୍ମୀଙ୍କ ସ୍ବାମୀ ମହେଶ୍ବର ଜେନାଙ୍କ ସମେତ ଅନ୍ୟ ଗ୍ରାମବାସୀ ବିରୋଧ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏବଂ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ। ରବିବାର ସକାଳେ ମହେଶ୍ବର ଜେନା ଓ ତାଙ୍କ ଭାଇ କାମକୁ ବାହାରି ଯାଇଥିଲେ। ଏହି ସମୟରେ ମଣ୍ଟୁ, ବାପା ବଳରାମ ସମେତ ମଙ୍ଗୁଳି ଓ ମାନ ଯୋଜନାବଦ୍ଧ ଭାବେ ଲକ୍ଷ୍ମୀ ଜେନାଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ। ସେମାନଙ୍କୁ ଲକ୍ଷ୍ମୀ ଓ ତାଙ୍କ ଯାଆ ବିରୋଧ କରି ସେମାନଙ୍କୁ ଟଣାଓଟରା ଏବଂ ଧକ୍କା ଦେଇଥିଲା। ଏହାଭିତରେ ମଣ୍ଟୁ ଏକ ଇଟାରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘରେ ପାଟିତୁଣ୍ଡ ଶୁଣି ତାଙ୍କ ଶ୍ବଶୁର ଘରକୁ ଆସିବା ବେଳକୁ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ପ୍ରଥମେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହେଇଥିଲା। ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବ ରଖି ବାରିପଟା – ଚାରିବାଟିଆ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ୍ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାରୁ ସେମାନେ ଆନ୍ଦୋଳନରୁ ହଟିଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳପୁର ପୁଲିସ ତଦନ୍ତ କରି ହତ୍ୟା ଅଭିଯୁକ୍ତ ବିଜୟ ଜେନା (୩୮)ଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Related Posts