ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ କାର୍ଯ୍ୟାଳୟରେ ପଶି ଆକ୍ରମଣ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ। ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ୱାମୀ ପବିତ୍ର ସାନ୍ତା ଓ ତାଙ୍କ ସହଯୋଗୀ ରମେଶ ହରିଜନ ଦୁହେଁ ମିଶି ବିଡିଓଙ୍କୁ ମାଡ଼ ମାରିଥିଲେ । ଏ ସମ୍ପର୍କରେ ବିଡିଓ ଶ୍ରୀ ମେହେର ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ବିଡିଓ ଶ୍ରୀ ମେହେର ଅଭିଯୋଗ ମୁତାବକ, ଗୁରୁବାର ଅପରାହ୍ଣ ୩ଟା ବେଳେ ପାଲିଆ ସରପଞ୍ଚଙ୍କ ସ୍ୱାମୀ ପବିତ୍ର ଓ ତାଙ୍କ ସହଯୋଗୀ ରମେଶ ମିଶିକି ତାଙ୍କ ପ୍ରକୋଷ୍ଠକୁ ଧସେଇ ପଶିଥିଲେ । ପ୍ରଥମେ ସିସି ଟିଭି ବନ୍ଦ କରିଦେଇଥିଲେ । ଜୋର ଜବରଦସ୍ତ ଫାଇଲ୍ରେ ଦସ୍ତଖତ କରିବାକୁ କହିଥିଲେ । ନକରିବାରୁ ଜାତିଆଣ ଆକ୍ଷେପ କରି ଜୀବନରେ ମାରିଦେବାକୁ ଧମକ ଦେଇ ମାଡ଼ ମାରିଥିଲେ । ସରପଞ୍ଚ ନିଜେ ଆସିଥିଲେ ସେ ଦସ୍ତଖତ କରିଥାନ୍ତେ । ଅଥଚ ତାଙ୍କ ସ୍ୱାମୀ ଫାଇଲ୍ ନେଇ ଆସିଥିବାରୁ ଦସ୍ତଖତ ଲାଗି କୁଣ୍ଠାବୋଧ କରିଥିଲେ ।
ଅନ୍ୟପଟେ ଅଭିଯୁକ୍ତ ପବିତ୍ରଙ୍କ କହିବା ଅନୁଯାୟୀ, ସେ ୪ଟି ଉନ୍ନୟନ କାର୍ଯ୍ୟର କେସ୍ ରେକର୍ଡ ଫାଇଲ୍ରେ ଦସ୍ତଖତ କରିବାକୁ ବିଡିଓ ଶ୍ରୀ ମେହେରଙ୍କ ନିକଟକୁ ଯାଇଥିଲେ । ପୂର୍ବରୁ ମଧ୍ୟ ସରପଞ୍ଚ ଏହି ଫାଇଲ୍ ନେଇ ବିଡିଓଙ୍କ ନିକଟକୁ ଅନେକ ଥର ଯାଇଥିଲେ । ବିଭିନ୍ନ ବାହାନା ଦେଖାଇ ଦସ୍ତଖତ କରିନଥିଲେ ବିଡିଓ । ପୂର୍ବଭଳି ଗୁରୁବାର ମଧ୍ୟ ଫାଇଲ୍ରେ ଦସ୍ତଖତ କରିବାକୁ ମନା କରିଥିଲେ । ଓଲଟା ଅଶ୍ଲୀଳ ଭାଷା ବ୍ୟବହାର କରିଥିଲେ । ବ୍ଲକ୍ରେ ମୋଟ ୨୩ଟି ପଞ୍ଚାୟତ ରହିଛି । ପାଲିଆକୁ ବାଦ ଦେଲେ ଅନ୍ୟ କୌଣସି ପଞ୍ଚାୟତରେ କୌଣସି ସମସ୍ୟା ହେଉନାହିଁ । ବିଡିଓ ମହାଶୟ ଜାଣିଶୁଣି ଏଭଳି ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି।
ବିଡିଓଙ୍କୁ ଆକ୍ରମଣ ଘଟଣା ସରପଞ୍ଚଙ୍କ ସ୍ୱାମୀ ପବିତ୍ର ସାନ୍ତା ଓ ତାଙ୍କ ସହଯୋଗୀ ରମେଶ ହରିଜନଙ୍କୁ ଗିରଫ କରିଛି ଝରିଗାଁ ପୋଲିସ। ଅନ୍ୟପଟେ ବିଡିଓଙ୍କ ବିରୋଧରେ ସରପଞ୍ଚ ପାଲଟା ଏତଲା ଦିଆଯିବ ବୋଲି ସୂଚନା ମିଳିଛି।
