ଝାଡଖଣ୍ଡ ଧନବାଦରେ ଜଜ ଉତ୍ତମ ଆନନ୍ଦ ହତ୍ୟା ମାମଲା: ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାଞ୍ଚି: ଝାଡଖଣ୍ଡ ଧନବାଦରେ ଜଜ ଉତ୍ତମ ଆନନ୍ଦ ହତ୍ୟା ମାମଲାକୁ ନେଇ ସିବିଆଇର ସ୍ୱତନ୍ତ୍ର କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ଅଭିଯୁକ୍ତ ଲଖନ ବର୍ମା ଏବଂ ରାହୁଲ ବର୍ମା ଷଡଯନ୍ତ୍ର ରଚିବା ଏବଂ ପ୍ରମାଣ ଲୁଚାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଇ ଅଭିଯୁକ୍ତ ଧାରା ୩୦୨ ଏବଂ ୨୦୧ ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆସନ୍ତା ଅଗଷ୍ଟ ୬ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦଣ୍ଡ ଶୁଣାଇବେ।

ମାମଲାର ଶୁଣାଣି ସମୟରେ ସିବିଆଇ ଓକିଲ ଅମିତ ଜିନ୍ଦଲ କୋର୍ଟରେ କହିଥିଲେ ଯେ, ଜଜଙ୍କ ହତ୍ୟା ଦୁର୍ଘଟଣା ନୁହେଁ ବରଂ ଜାଣିଶୁଣି କରାଯାଇଥିବା କୃତ୍ୟ।

ଉଲ୍ଲେଖଯୋଗ୍ୟ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟଠୁ ଆରମ୍ଭ କରି ଫରେନସିକ୍ସ ରିପୋର୍ଟ, ସିସିଟିଭ ଫୁଟେଜ, ଟ୍ରିଡି ଇମେଜ ଏବଂ ଭିଡିଓ ଫୁଟେଜକୁ ଆଧାର କରି ସିବିଆଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାସହ ଏଥିରୁ ପ୍ରମାଣିତ ହୋଇଥିଲା ଯେ, ଦୁଇ ଦୋଷୀ ଲଖନ ବର୍ମା ଏବଂ ରାହୁଲ ବର୍ମା ମୋବାଇଲ ଲୁଟିବା ପାଇଁ ଜାଣିଶୁଣି ଜଜଙ୍କୁ ଅଟୋରେ ଧକ୍କା ଦେଇଥିଲେ। ଏହାପରେ ଜଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜଜ ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାକ୍ ସାରି ଫେରିବା ସମୟରେ ପଛ ପଟୁ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଅଟୋଟି ରାସ୍ତା ମଝିରେ ଯାଉଥିବା ବେଳେ ହଠାତ ରାସ୍ତା କଡରେ ଚାଲି ଚାଲି ଯାଉଥିବା ଉତ୍ତମ ଆନନ୍ଦଙ୍କ ଉପରେ ଚଢାଇ ଚାଲିଯାଇଥିଲା। ଏହି ପୂରା ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା ।

Related Posts