୨୭ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍ !

ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନର ପରିଣାମ ଘୋଷିତ ହୋଇସାରିଛି । ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ମହାମେଣ୍ଟ ୪୭ଟି ଆସନରେ ବିଜୟୀ ହୋଇଛି । କ୍ଷମତାଧାରୀ ବିଜେପିର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ପାର୍ଟିର ସଭାପତି ଲକ୍ଷ୍ମଣ ଗିଲୁବାଙ୍କ ପରାଜୟ ସହିତ ପାର୍ଟିକୁ ୨୫ ଆସନରେ ବିଜୟ ମିଳିଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୨୦ରେ ଶେଷ ହୋଇଥିଲା ।

ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ରାଜ୍ୟ ବିଧାନସଭାରେ ବିରୋଧୀ ମେଣ୍ଟର ନେତା ହେମନ୍ତ ସୋରେନ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ ରାଞ୍ଚିର ମୋହରାବାଦୀ ପଡ଼ିଆରେ ଶପଥ ଗ୍ରହଣ କରିବେ । ନିର୍ବାଚନରେ ବିଜୟୀ ହେବା ପରେ ନିଜ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହେମନ୍ତ ସୋରେନ ଏହା କହିଛନ୍ତି । ସେ କହିଛନ୍ତି ଯେ, ନିଜ ଆଗ୍ରହ ବାବଦରେ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ କହିବେ ଏବଂ ଅନୁମତି ମିଳିବା ପରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ।

ସରକାର ଗଢ଼ିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ହେମନ୍ତ କହିଛନ୍ତି ଯେ, ଏଥିପାଇଁ ସେ ମଙ୍ଗଳବାର ଦିଲ୍ଲୀ ଯିବେ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ । ଜେଏମଏମ ଆଜି ପାର୍ଟି ଅଧ୍ୟକ୍ଷ ଶିବୁ ସୋରେନଙ୍କ ନିବାସରେ ଏକ ବୈଠକର ଆୟୋଜନ କରିବ ।

ପାର୍ଟିର ମୁଖପାତ୍ର ଓ ମହାସଚିବ ସୁପ୍ରିୟା ଭଟ୍ଟାଚାର୍ଯ୍ୟ କହିଛନ୍ତି, ମଙ୍ଗଳବାର ପାର୍ଟିର ବିଧାୟକ ଦଳର ବୈଠକ ହେବ । ଏହି ବୈଠକ ପରେ ଅନ୍ୟ ସହଯୋଗୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ସୌଜନ୍ୟତା ଦୃଷ୍ଟିରୁ ହେମନ୍ତ ସୋରେନଙ୍କୁ ନେତା ବଛା ଯିବା ପରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ ।

Related Posts