ଓଡ଼ିଶା ଉପକୂଳ ଅତିକ୍ରମ କରି ଝାଡଖଣ୍ଡ ମୁହାଁ ବାତ୍ୟା ‘ୟାସ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାତ୍ୟା ‘ୟାସ’ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ଏବେ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ଆଡକୁ ମୁହାଁଇଛି । ଆଇଏମଡି ଡିଜି ମୃତ୍ୟୁୟଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟାସ୍‌। ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା। ଏସ୍ଆରସିଙ୍କ ସୂଚନା ମୁତାବକ ବାତ୍ୟା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଓ ପବନ ଲାଗି ରହିଛି । ଆଜି ଠିକ୍‌ ସକାଳ ୯ଟା ବେଳେ ଧାମରା ଠାରେ ପହଞ୍ଚି ଥିଲା  ବାତ୍ୟା ୟାସ। ଏହା ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ କରିଥିଲା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଥିଲା। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି। ବାତ୍ୟା ପ୍ରଭାବରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡିବା ସହିତ ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି । ତଳିଆ ଅଞ୍ଚଳକୁ ସମୁଦ୍ର ପାଣି ମାଡି ଆସିଥିବା ସହ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଏସ୍ଆରସି ଦେଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‍ ସହାୟତାରେ ଉପକୂଳ ଜିଲ୍ଲାରୁ ପାଖାପାଖି ୬ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‍ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । 

Related Posts