ପୂଜାମଣ୍ଡପରେ ଟୀକାକରଣ କେନ୍ଦ୍ର ଖୋଲିବାକୁ ଝାଡଖଣ୍ଡ ସରକାରଙ୍କ ନିର୍ଦ୍ଦେଶ, କୋଭିଡ଼ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂଜାମଣ୍ଡପରେ ଖୋଲିବ ଟୀକାକରଣ କେନ୍ଦ୍ର । କୋଭିଡ଼ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଝାଡଖଣ୍ଡ ସରକାର ଏଭଳି ଏକ ଅଭିନବ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ପୂଜା ମଣ୍ଡପକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ଯେଉଁମାନେ ଏଯାଏଁ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଝାଡ଼ଖଣ୍ଡର ମୁଖ୍ୟ ଡ଼.ଭୁବନେଶ ପ୍ରତାପ ସିଂ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପୂଜା ମଣ୍ଡପରେ ଟିକାକରଣ କେନ୍ଦ୍ର ସ୍ଥାପନ କରିବାକୁ ସମସ୍ତ ଜିଲ୍ଲାର କୋଭିଡ ଟିକାକରଣ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଡ଼.ଭୁବନେଶ ପ୍ରତାପ ସିଂ କହିଛନ୍ତି ଯେ, କୋଭିଡ଼ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଓ ବୁଷ୍ଟର ଡୋଜ ନେବା ପାଇଁ ସଚେତନତା କରାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି | ଏଥି ସହିତ, ଝାଡଖଣ୍ଡର ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁର୍ଗା ପୂଜା ଆୟୋଜକ କମିଟିଙ୍କ ସହ ଏବାବଦରେ ଆଲୋଚନା କରାଯାଇଛି ।ସହରର ସମସ୍ତ ପୂଜାମଣ୍ଡପରେ ପୋଷ୍ଟର ଲଗାଯିବ ଓ ଟିକାକରଣ କେନ୍ଦ୍ର ସ୍ଥାପନ କରାଯିବ । ଯଦି କେହି ଭକ୍ତ ପୂଜା ମଣ୍ଡପକୁ ଆସୁଛନ୍ତି କିନ୍ତୁ ଟିକା ନେଇନାହାନ୍ତି, ସେମାନେ ଟିକା ନେଇପାରିବେ । ବିଶେଷ କରି ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ନେଇନାହାନ୍ତି ସେମାନେ କିଭଳି ସୁରୁଖୁରୁରେ ଟିକା ନେଇପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Related Posts