
ରାଞ୍ଚୀ : ଝାଡ଼ଖଣ୍ଡରେ ସବୁଠୁ ଅଧିକ ଦଙ୍ଗା ହେଉଛି । ନ୍ୟାସନାଲ କ୍ରାଇମ ରୋକର୍ଡ ବ୍ୟୁରୋ (ଏନସିଆରବି)ଙ୍କ ୨୦୨୧ ରିପୋର୍ଟରେ ଏନେଇ ସୂଚନା ମିଳିଛି । ଏନସିଆରବିଙ୍କ ତଥ୍ୟ ଅନୁସାରେ ସାରା ଦେଶରେ ୨୦୨୧ ମସିହାରେ ମୋଟ ୩୭୮ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏଥିରୁ କେବଳ ଝାଡଖଣ୍ଡରେ ୧୦୦ ଦଙ୍ଗା ହୋଇଥିଲା। ଝାଡଖଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବିହାର ।
୨୦୨୧ ମସିହାରେ ମହାରାଷ୍ଟ୍ରରେ ମୋଟ ୭୭ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବା ବେଳେ ଏହି ସମୟରେ ବିହାରରେ ୫୧ଟି ଦଙ୍ଗା ମାମଲା ସମ୍ନାକୁ ଆସିଥିଲା। ଦଙ୍ଗା ମାମଲାରେ ହରିୟାଣା ଚତୁର୍ଥ ସ୍ଥାନରେ ଥିବା ବେଳେ ଏହି ସମୟରେ ଏଠାରେ ସାମ୍ପ୍ରଦାୟିକ ଦଙ୍ଗାର ୪୦ଟି ଘଟଣା ଘଟିଥିଲା। ଏନସିଆରବିଙ୍କ ରିପୋର୍ଟରେ ସାମ୍ପ୍ରଦାୟିକ ଦଙ୍ଗା ମାମଲାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସଂଯୁକ୍ତ ପଞ୍ଚମ ସ୍ଥାନରେ ରହିଛନ୍ତି। ଉଭୟ ରାଜ୍ୟରେ ୨୦୨୧ ମସିହାରେ ୨୨ଟି ଲେଖାଏଁ ଦଙ୍ଗା ହୋଇଥିଲା।
ଏନସିଆରବିଙ୍କ ତଥ୍ୟ ଅନୁସାରେ ଝାଡଖଣ୍ଡରେ ହୋଇଥିବା ଦଙ୍ଗା ମାମଲା ଗୁଡିକର ୮୦ ପ୍ରତିଶତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାକି ୨୦ ପ୍ରତିଶତ ଏବେବି ଫେରାର ଅଛନ୍ତି। ୨୦୨୧ ମସିହାରେ ବିଭିନ୍ନ ଦଙ୍ଗା ମାମଲାରେ ଝାଡଖଣ୍ଡ ପୋଲିସ ୨ହଜାରରୁ ଅଧିକ ଲୋକଙ୍କ ଗିରଫ କରିଥିଲା। ତେବେ କେବଳ ୨୦୨୧ ନୁହେଁ ୨୦୨୨ରେ ମଧ୍ୟ ଝାଡଖଣ୍ଡରେ ଦଙ୍ଗା ହୋଇଛି। ଏହି ସମୟରେ ରାଜଧାନୀ ରାଞ୍ଚୀ ସମେତ ବିଭିନ୍ନ ସହରରେ ଦଙ୍ଗା ହୋଇଥିଲା। ରାଞ୍ଚୀରେ ଜୁନ ୧୦ ତାରିଖ ଦିନ ହୋଇଥିବା ଦଙ୍ଗାରେ ପୋଲିସକୁ ଗୁଳି ଚାଳନା କରିବାକୁ ପଡିଥିଲା। ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମାମଲାର ତଦନ୍ତ ଏବେବି ଜାରି ରହିଛି। ତେବେ ଏନସିଆରବିଙ୍କ ତଥ୍ୟରେ ୨୦୨୨ର ଦଙ୍ଗା ରିପୋର୍ଟ ଉଲ୍ଲେଖ ନାହିଁ। ତେବେ ରିପୋର୍ଟରେ ବର୍ଷକ ପୂର୍ବର ତଥ୍ୟ ଜାରି କରାଯାଇଥାଏ