ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡର ସୋରେନ ବ୍ରଦର୍ସଙ୍କ ବଢ଼ିଲା ଅଡୁଆ । ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖଣି ଦୁର୍ନୀତି ମାମଲାରେ ଫସିଛନ୍ତି। ଏବେ ତାଙ୍କ ବିଧାୟକ ପଦକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ତାଙ୍କର ଅନ୍ୟତମ ବିଧାୟକ ଭାଇଙ୍କ ନାମରେ ଆସିଥିବା ଦୁର୍ନୀତି ମାମଲାରେ ନିର୍ବାଚନ କମିଶନ ରାଜ୍ୟପାଳଙ୍କ ନିକଟକୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି।ଯାହାକୁ ନେଇ ଝାଡଖଣ୍ଡ ରାଜନୀତି ପୁଣି ସରଗରମ ହେବା ଆରମ୍ଭ କରିଛି। ଭାରତ ନିର୍ବାଚନ ଆୟୋଗ (ଇସି) ବସନ୍ତ ସୋରେନଙ୍କ ମାମଲାର ଶୁଣାଣି ଶେଷ କରି ରାଜ ଭବନକୁ ଫାଇଲ ପଠାଇଛନ୍ତି। ବର୍ତ୍ତମାନ ରାଜ୍ୟପାଳ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ପୂର୍ବରୁ ହେମନ୍ତଙ୍କ ମାମଲା ରାଜ୍ୟପାଳଙ୍କ ନିକଟରେ ରହିଛି।

ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ ସୋରେନଙ୍କ ମାମଲାରେ ଶୁଣାଣି ଅଗଷ୍ଟ ୨୯ରେ ଶେଷ ହୋଇଥିଲା। ଏହାପରେ କମିଶନ ସୁପାରିଶ କରି ରାଜଭବନକୁ ଏକ ସିଲ୍ କଭରରେ ଏକ ଚିଠି ପଠାଇଛନ୍ତି। ଏହି ରିପୋର୍ଟ ଆଧାରରେ ରାଜ୍ୟପାଳ ରମେଶ ବାଇସ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଧାନସଭାରେ ବସନ୍ତ ସୋରେନଙ୍କ ସଦସ୍ୟତା ମଧ୍ୟ ବିପଦରେ ପଡିଛି। ବସନ୍ତ ସୋରେନ୍ ବର୍ତ୍ତମାନ ଦୁମକାର ବିଧାୟକ ଅଛନ୍ତି। ନିକଟରେ ବସନ୍ତ ଦିଲ୍ଲୀ ଯାଇଥିଲେ । ନିଜର ଡ୍ରେସ କିଣିବାକୁ ସେ ଦିଲ୍ଲୀ ଯାଇଥିଲେ ବୋଲି କହିଥିଲେ।

ତେବେ କିଛିଦିନ ପୂର୍ବରୁ ରାଜ୍ୟପାଳଙ୍କ ନିକଟରେ ବସନ୍ତ ସୋରେନଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ସେ ଏକ ଖଣି ସଂସ୍ଥା ଏବଂ ଗ୍ରାଣ୍ଡ ମାଇନିଂ କମ୍ପାନୀରେ ନିବେଶ କରିଥିବା ଅଭିଯୋଗ ହୋଇଥିଲା। ଏହି କମ୍ପାନୀରେ ସରକାରଙ୍କର ଆଠ କୋଟି ଟଙ୍କା ବାକି ଅଛି। ଏହି ଅଭିଯୋଗ ପରେ ରାଜ୍ୟପାଳ ଘଟଣାର ତଦନ୍ତ ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଆୟୋଗ ଏହାର ତଦନ୍ତ ଶେଷ କରି ଏହାର ରିପୋର୍ଟ ଦାଖଲ କରିଛନ୍ତି। ଏହାପୂର୍ବରୁ ବସନ୍ତ ସୋରେନଙ୍କୁ ନୋଟିସ ପଠାଇ ଆୟୋଗ ଏହାର ଉତ୍ତର ମଧ୍ୟ ମାଗିଥିଲେ।

ବର୍ତ୍ତମାନ ରାଜ୍ୟପାଳଙ୍କ ପାଖରେ ଦୁଇ ସୋରେନ ବ୍ରଦର୍ସଙ୍କ ମାମଲା ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ବହୁମତ ସାବ୍ୟସ୍ତ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟପାଳଙ୍କ ନିଷ୍ପତି ଉପରେ ଦୁଇ ସୋରେନ ଭାଇଙ୍କ ଭାଗ୍ୟ ନିର୍ଭର କରୁଛି ବୋଲି କୁହାଯାଉଛି।