JNU ହିଂସା: ହ୍ବାଟ୍ସଆପ୍‌, ଗୁଗଲ୍‌ ଓ ଆପଲ୍‌କୁ ନୋଟିସ୍‌

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: JNU ହିଂସା ମାମଲାରେ ହ୍ବାଟ୍ସଆପ୍‌, ଗୁଗ୍‌ଲ, ଫେସବୁକ୍‌ ଏବଂ ଆପଲ୍‌କୁ ନୋଟିସ୍‌ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ହିଂସା ଦିନର ବିଭିନ୍ନ ତଥ୍ୟ ସୁରକ୍ଷିତ ରଖିବା ପାଇଁ କହିଛନ୍ତି କୋର୍ଟ । ଏହା ସହ ଦକ୍ଷିଣ ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ସରକାରଙ୍କୁ ବି ନୋଟିସ କରିଛନ୍ତି କୋର୍ଟ । ଜେଏନ୍‌ୟୁ ପ୍ରଫେସରଙ୍କ ଦ୍ବାରା ହୋଇଥିବା ଆବେଦନ ଆଧାରରେ କୋର୍ଟ ହ୍ବାଟ୍ସଆପ୍‌, ଗୁଗ୍‌ଲ, ଫେସବୁକ୍‌ ଏବଂ ଆପଲ୍‌କୁ ନୋଟିସ୍‌ କରି ଏବାବଦରେ ଉତ୍ତର ମାଗିଛନ୍ତି।

ଗତ ୫ ତାରିଖ‌ରେ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ପରିସରରେ ଭୟଙ୍କର ହିଂସା ଉପୁଜିଥିଲା । ହିଂସା ଘଟଣାରେ ତଦନ୍ତ ଜାରି ରହିଛି । ଆଜି ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ସେପଟେ ଜେଏନ୍‌ୟୁ ହିଂସା ଘଟଣାର ତଦନ୍ତ କରୁଥିବା ଦିଳ୍ଲୀ ପୋଲିସ ହାଇକୋର୍ଟଙ୍କୁ ସୂଚନା ଦେଇ କହିଛି ଯେ ସିସିଟିଭି ଫୁଟେଜ୍‌ ସୁରକ୍ଷିତ ରଖିବାପାଇଁ ବିଶ୍ବବିଦ୍ୟାଳୟକୁ କୁହାଯାଇଥିଲା । କିନ୍ତୁ ଏନେଇ କିଛି ସୂଚନା ମିଳିନି । ୨ଟି ଗ୍ରୁପ୍‌ ସଂକ୍ରାନ୍ତରେ ହ୍ବାଟ୍ସଆପ୍‌ଠାରୁ ବିବରଣୀ ମଗାଯାଇଥିବା ପୋଲିସ କହିଛି । ଜେଏନୟୁର ୩ ଜଣ ପ୍ରଫେସର ଅମିତ ପରମେସ୍ବରନ୍‌, ଅତୁଲ ସୁଦ ଏବଂ ଶୁକ୍ଳା ବିନାୟକ ସାୱନ୍ତ ହିଂସା ଦିନର ତଥ୍ୟ ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଆଧାରରେ କୋର୍ଟ ହ୍ବାଟ୍ସଆପ୍‌, ଫେସବୁକ୍‌ ଏବଂ ଗୁଗ୍‌ଲକୁ ନୋଟିସ୍‌ କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଜେଏନୟୁରେ ପାଠପଢ଼ା ଆରମ୍ଭ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଶ୍ବବିଦ୍ୟାଳୟର ଦୁଇଟି ଶିକ୍ଷକ ସଂଘ ଅସହଯୋଗ କରିବା ନେଇ ଘୋଷଣା କରିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଭଳି ପରାମର୍ଶ ଜାରି କରାଯାଇଥିବା ଜଣାପଡ଼ିଛି।

Related Posts