ମନେ ପଡ଼ିବେ ମନୁଆ ଭାଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଚଭୂତରେ ଲିନ ହେଲେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଆଜି ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ଧାରାବାହିକ ଭାବେ ଆଠଟି ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିବା ଓଡ଼ିଆ ସିନେ ଜଗତର ଅବିସ୍ମରଣୀୟ ପ୍ରତିଭା ମନମୋହନ ମହାପାତ୍ରଙ୍କ ଗତକାଲି ୬୯ ବର୍ଷ ବୟସରେ ପରଲୋକ ଘଟିଥିଲା । ଓଡ଼ିଆ ସିନେମାକୁ ଅନେକ କଳାତ୍ମକ ଫିଲ୍ମ ଭେଟି ଦେଇଥିବା ଏହି ବିଶିଷ୍ଟ ସିନେ ନିର୍ଦ୍ଦେଶକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।

ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଆଠ ଆଠଟି ଚଳଚ୍ଚିତ୍ର ପାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସେ ହିନ୍ଦୀ ଫିଲ୍ମ ‘ବିଟ୍ସ ଆଣ୍ଡ ପିସେସ୍‌’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ନନ୍ଦିତା ଦାସ, ରାହୁଲ ବୋଷ ଓ ଦିୟା ମିର୍ଜାଙ୍କ ଭଳି କଳାକାର କରିଥିଲେ ଅଭିନୟ ।  ମନମୋହନଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୃଷ୍ଟି ହୋଇଛି ଅପୂରଣୀୟ କ୍ଷତି ।

ମନମୋହନଙ୍କ ସଫଳତା

୧୯୭୬ରେ ମନମୋହନ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ର ନିର୍ଦ୍ଦେଶନା ଦେଇଥିଲେ । ଏ ଫିଲ୍ମଟି ୧୯୮୨ ମସିହାରେ ଆନ୍ତର୍ଜାତିକ ଫିଲ୍ମ ଉତ୍ସବରେ ସ୍ଥାନିତ ହୋଇ ସେ ଗୌରବ ପାଇଥିବା ପ୍ରଥମ ଓଡ଼଼ିଆ ଫିଲ୍ମ ହୋଇଥିଲା । ପରେ ସେ ‘କ୍ଲାନ୍ତ ଅପରାହ୍ଣ’, ‘ନିଶିଥ ସ୍ବପ୍ନ’, ‘ମଝି ପାହାଚ’, ‘ଭିନ୍ନ ସମୟ’ ଓ  ‘ନୀରବ ଝଡ଼’ ସମେତ ଅନେକ ଫିଲ୍ନ ନିର୍ମାଣ କରିଥିଲେ ଓ ଗୋଟେ ପରେ ଗୋଟେ ଜାତୀୟ ପୁରସ୍କାର ପାଇ ରାଜ୍ୟ ଲାଗି ଗୌରବ ଆଣିଥିଲେ । ସେ ହିଁ ଏ ପର୍ଯ୍ୟନ୍ତ ସବୁ ଠୁଁ ଅଧିକ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଓଡ଼ିଆ ସିନେମା ନିର୍ମାତା-ନିର୍ଦ୍ଦେଶକ । ମନମୋହନ ଏଫଟିଟିଆଇ, ପୁନେରେ ଫିଲ୍ମ ଶିକ୍ଷା ଶେଷ କରିଥିଲେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ୱର୍ଣ୍ଣ ପଦକ ହାସଲ କରି । ତା’ପରେ ୧୯୭୫ରେ ପ୍ରଥମ ଥର ଲାଗି ଏକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରିଥିଲେ ସେ । ୧୯୭୫ ମସିହାରେ ପ୍ରଥମ କରି “ଆଣ୍ଟି-ମେମୋରିସ୍” ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଓଡ଼ିଆ କଥାଚିତ୍ର ବ୍ୟତିତ ସେ ବହୁ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।  ସେ ଜୟଦେବ ପୁରସ୍କାର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସମ୍ମାନସୂଚକ ଡିଲିଟ ଉପାଧିରେ ଭୂଷିତ ହୋଇଥିଲେ ।

ମନମୋହନ ବାୟୋଗ୍ରାଫି

ମନମୋହନ ୧୯୫୧ମସିହା ନଭେମ୍ବର ୧୦ରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାଁ ଥିଲା ରାଧାକୃଷ୍ଣ ମହାପାତ୍ର ଓ ମାତାଙ୍କ ନାମ ପ୍ରମିଳା । ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ସୋ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ନୀରଦବାବୁ ତାଙ୍କୁ ଚଳଚ୍ଚିତ୍ର ସମ୍ବନ୍ଧୀୟ ପୁସ୍ତକ ପଢିବାକୁ କହିଥିଲେ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇଥିଲେ ।

Related Posts