‘ଯେପର୍ଯ୍ୟନ୍ତ ଆପଣ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ମୋର କିଛି ଚିନ୍ତା ନାହିଁ’; ଗଡକରୀଙ୍କୁ କହିଲେ ତେଜସ୍ଵୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ତେଜସ୍ବୀ ଯାଦବ। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡକରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତେଜସ୍ବୀ କହିଛନ୍ତି ଯେ, କେନ୍ଦ୍ର ସରକାରରେ ନୀତିନ ଗଡ଼କରୀଙ୍କ ଭଳି ଆହୁରି ମନ୍ତ୍ରୀ ରହିବା ଦରକାର ଫଳରେ ସବୁ ବିଭାଗରେ କାମ ଅଟକିବନାହିଁ। ନୀତିନ ଗଡକରୀ ଆରମ୍ଭରୁ ହିଁ ବିହାରକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଯେପର୍ଯ୍ୟନ୍ତ ସେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ ମୋତେ ବିହାର ପାଇଁ କିଛି ଚିନ୍ତା କରିବା ଦରକାର ନାହିଁ ବୋଲି ତେଜସ୍ଵୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନିତିନ ଗଡକରୀ ଦଳ ନୁହେଁ ବରଂ ବିକାଶ ପାଇଁ କାମ କରିଥାନ୍ତି। ବିହାରର ରୋହତାସରେ ଏନଏଚ ପରିଯୋଜନାର ଶିଳାନ୍ୟାସ ସାମରୋହକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ତେଜସ୍ବୀ ଯାଦବ। ତେଜସ୍ବୀ କହିଥିଲେ ନିତିନ ଗଡକରୀଙ୍କ ପାଖରେ ଯେତେବେଳେ କୌଣସି ଦାବି ରଖିଥାନ୍ତି ତେବେ ତାହାକୁ ପୂରା କରିବା ପାଇଁ ସେ ନିଶ୍ଚୟ କାମ କରିଥାନ୍ତି।

ସେପଟେ ତେଜସ୍ଵୀଙ୍କ ଭାଷଣ ପରେ ନୀତିନ ଗଡ଼କରୀ ମଧ୍ୟ ଆଶ୍ଵାସନା ଦେଇଛନ୍ତି। ସେ କହିଛନ୍ତି ଯେ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଯେତେବେଳେ ବି ତାଙ୍କ ପାଖକୁ କୌଣସି ଯୋଜନା ନେଇ ଆସିବେ ସେ ତୁରନ୍ତ ଏହାକୁ ଅନୁମୋଦନ କରିବେ।

ସୂଚନାଯୋଗ୍ୟ ଯେ, ସୋମବାର ବିହାରର ରୋହିତାସର ସୋନ୍‌ ନଦୀ ଉପରେ ପଣ୍ଡୁକା ନିକଟରେ ୨୧୦ କୋଟି ଟଙ୍କାର ବ୍ୟୟରେ ୧.୫ କିମି ଲମ୍ବା ୨-ଲେନ ବିଶିଷ୍ଟ ଆରସିସି ପୋଲର ଶିଳାନ୍ୟାସ ସମାରୋହରେ କେନ୍ଦ୍ର ସଡ଼କ ପରିବହନ ନିତିନ ଗଡକରୀ, ଅଶ୍ବିନୀ ଚୌବେ, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ବିହାର ଭାଜପା ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲ ଉପସ୍ଥିତ ରହିଥିଲେ। ସୋନ ନଦୀ ଉପରେ ପୋଲ ନିର୍ମାଣ ହେବା ଦ୍ବାରା ଏନଏଚ-୧୯ ଏବଂ ଏନଏନ-୩୯ ସହ ସିଧାସଳଖ ଯୋଡ଼ି ହୋଇଯିବ। ଯାହାଦ୍ବାରା ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ ମଧ୍ୟରେ ଗମନାଗମନ ସୁଗମ ହୋଇଯିବ।

Related Posts