ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପାଖାପାଖି ୨୩ ମାସ ପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରିଥିଲେ । ତେବେ ଜାମିନ ପରେ ମଧ୍ୟ ସେ ଜେଲରେ ରହିବେ । ତାଙ୍କ ବିରୋଧରେ ବର୍ତ୍ତମାନ ଇଡି ଯାଞ୍ଚ କରୁଛି । ତେଣୁ ବର୍ତ୍ତମାନ ତାଙ୍କୁ ଜାମିନ ପରେ ମଧ୍ୟ ଜେଲରେ ରହିବାକୁ ପଡିବ ।
ତେବେ କପ୍ପନଙ୍କୁ ବେଆଇନ ଗତିବିଧି ନିରୋଧକ ଅଧନିୟମ, ଆଇଟି ଅଧିନିୟମ ତଥା ଭାରତୀୟ ଦଣ୍ଡବିଧିର ବିଭିନ୍ନ ଧାରାରେ ଗିରଫ କରାଯାଇଥିଲା । ଜଷ୍ଟିସ ଅନୁରୋଧ ମିଶ୍ରା କପ୍ପନଙ୍କୁ ଏକ ଲକ୍ଷ ଟଙ୍କାର ଜାମିନ ପତ୍ର ତଥା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ତାଙ୍କୁ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧାରିତ ସର୍ତ୍ତ ଉଲ୍ଲଙ୍ଘନ ନକରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅକ୍ଟୋବର ୫ ତାରିଖରେ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ ତଥା ଅନ୍ୟ ତିନି ଜଣଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିଲା । ଏମାନଙ୍କୁ ଅପରାଧ କରିବା ପାଇଁ ଯୋଜନା ରଖିଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ସେମାନଙ୍କର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସହ ସମ୍ବନ୍ଧ ରଖିଥିବାର ଅଭିଯୋଗ ଲଗାଇଥିଲା । କପ୍ପନଙ୍କ ସହ ଅଥିକୁର ରହମାନ, ଆଲମ ଏବଂ ମସୁଦକୁ ଭାରତୀୟ ଦଣ୍ଡ ସଂହିତା ଆଧାରରେ ଗିରଫ କରାଯାଇଥିଲା ।