ପଞ୍ଜାବର ଆପ ବିଧାୟକଙ୍କୁ ଭାଜପାର ୨୫ କୋଟି ଟଙ୍କାର ଅଫର; ଦିଲ୍ଲୀ ପରେ ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ର ଅଭିଯୋଗ ଆଣିଲା ଆପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ସରକାରର ଅର୍ଥମନ୍ତ୍ରୀ ହରପାଲ ସିଂ ଖେମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ ସିଂ ଖେମା କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି ଏହା ସହ ଆପ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ଭାଜପା ପ୍ରତ୍ୟେକ ଆପ ବିଧାୟକଙ୍କୁ ୨୫କୋଟି ଟଙ୍କାର ଅଫର ପ୍ରଦାନ କରୁଛି ବୋଲି ଅର୍ଥମନ୍ତ୍ରୀ ଖେମା କହିଛନ୍ତି। ଏହାକୁ ନେଇ ଆପ ପଞ୍ଜାବ ମଧ୍ୟ ମଙ୍ଗଳବାର ଟୁଇଟ କରି କହିଛି ଯେ, ସିରିଏଲ୍‌ କିଲର ଭାଜପା ବର୍ତ୍ତମାନ ପଞ୍ଜାବରେ ନିଜର ଅପରେଶନ୍‌ ଲୋଟସ୍‌ ଚଳାଉଛି। ରାଜ୍ୟର ଆପ ବିଧାୟକମାନଙ୍କୁ ୨୫-୨୫ କୋଟି ଅଫର୍‌ ଦେଉଛି। କିନ୍ତୁ ଭାଜପା ଭୁଲି ଯାଉଛି ଯେ, ଆପର ଜଣେ ହେଲେ ମଧ୍ୟ ବିଧାୟକ ଏହି ଘୋଡ଼ାବେପାରରେ ସାମିଲ ହେବେ ନାହିଁ। ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ଭାଜପାର ଅପରେଶନ୍‌ ଲୋଟସ୍‌ ବିଫଳ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଖେମା ଭାଜପା ଉପରେ ଅଭିଯୋଗ ଆଣିିଛନ୍ତି। ଆପ ବିଧାୟକଙ୍କୁ କିଣି ପଞ୍ଜାବରେ କ୍ଷମତାରେ ଥିବା ସରକାରଙ୍କୁ ଭାଙ୍ଗିବାକୁ ଭାଜପା ଉଦ୍ୟମ କରୁଛି । ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସି ସହିତ ଟଙ୍କାର ମଧ୍ୟ ବ୍ୟବହାର କରୁଛି। କେବଳ ଏତିକି ନୁହେଁ, ବିଧାୟକମାନଙ୍କୁ ବଡ଼ ପଦବୀର ମଧ୍ୟ ଭାଜପା ପ୍ରଲୋଭନ ଦେଖାଉଥିବା ନେଇ ଖେମା ଅଭିଯୋଗ କରିଛନ୍ତି।

Related Posts