ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ନୂଆ ଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଆଗ ଧାଡ଼ିର ନେତା ଜଗତ ପ୍ରକାଶ ନଡ୍ଡା ଆଜି ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିନା କୌଣସି ନିର୍ବାଚ଼ନରେ ସେ ଏହି ପଦକୁ ଆସିଛନ୍ତି ଓ ଅମିତ ଶାହାଙ୍କ ହାତରୁ ଦାୟିତ୍ୱ ନେଇ ଦଳର ଏକାଦଶତମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ।

ରାଷ୍ଟ୍ରୀୟ ସଭାପତି ପଦ ପାଇଁ ହୋଇଥିବା ନିର୍ବାଚ଼ନରେ ନଡ୍ଡା ହିଁ ଏକ ମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଭରିଥିଲେ । ସେ ନାମାଙ୍କନ କରିବା ପୂର୍ବରୁ ତାଙ୍କ ନାମରେ ଅମିତ ଶାହା, ନିତିନ ଗଡକାରୀ ଓ ରାଜନାଥ ସିଂ ପ୍ରସ୍ତାବ ଦେଇଥିଲେ । ନଡ୍ଡା ୨୦୧୯ ଜୁନ୍‌ ମାସ ଠାରୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଭାବେ କାର୍ଯ୍ୟ କରିଆସୁଥିଲେ ।

ବିଜେପିର ଅନେକ ସାଂଗଠନିକ ଦାୟିତ୍ବରେ ନଡ୍ଡା ନିଜ ଦକ୍ଷତା ପ୍ରମାଣିତ କରି ସାରିଛନ୍ତି । ସେ ମୂଳତଃ ହିମାଚ଼ଳ ପ୍ରଦେଶର ନିବାସୀ, ମାତ୍ର ତାଙ୍କର ପିଲାଦିନ କଟିଥିଲା ବିହାର ଓ ଝାଡ଼ଖଣ୍ଡରେ । ସେତେବେଳେ ଏବର ଏ ଦୁଇ ରାଜ୍ୟ ଅବିଭକ୍ତ ବିହାର ପ୍ରଦେଶ ଥିଲେ । ତାଙ୍କର ଜନ୍ମ ୨ ଡିସେମ୍ବର ୧୯୬୦ରେ ପାଟନାରେ ହୋଇଥିଲା ।

ତାଙ୍କ ବାପା ନାରାୟଣ ଲାଲ ନଡ୍ଡା ପାଟନା ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ କାମ କରୁଥିଲେ । ସେଠାରେ ହିଁ ଜଗତ ପ୍ରକାଶ ନିଜ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି ପାଟନା ବିଶ୍ବବିଦ୍ୟାଳୟରୁ ସ୍ନାତକ ପଢ଼ା ଶେଷ କରିଥିଲେ । କଲେଜରେ ପଢ଼ିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସକ୍ରିୟ ଥିଲେ । ୧୯୭୫ରେ ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଭାଗ ନେଇଥିଲେ ।

ତା’ପରେ ସେ ନିଜ ପୈତୃକ ରାଜ୍ୟ ହିମାଚଳ ପ୍ରଦେଶକୁ ଫେରି ହିମାଚଳ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ । ୧୯୮୩ରେ ସେ ହିମାଚଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ହିମାଚଳ ପ୍ରଦେଶରେ ସେ ଥିଲେ ଏବିଭିପିର ପ୍ରଥମ ଅଧ୍ୟକ୍ଷ । ୧୯୮୪ରେ ସେ ପରିଷଦର ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ ସଂଗଠନ ମନ୍ତ୍ରୀ ଦାୟିତ୍ବ ନେଲେ । ୧୯୮୫ ରୁ ୧୯୮୯ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ABVPର ସଂଗଠନ ମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ସେଠାରେ ଅନେକ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ ।

୧୯୮୯ରେ ନଡ୍ଡା ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୧୯୯୦ରେ ସେ ବିଜେପିରେ ଯୋଗ ଦେଲେ । ୧୯୯୧ରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ । ତତ୍କାଳୀନ ବିଜେପି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀଙ୍କ ନେତୃତ୍ବରେ ବାହାରିଥିବା ତିରଙ୍ଗା ଯାତ୍ରା ପରିଚାଳନାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୧୯୯୩ରେ ହିମାଚଳ ପ୍ରଦେଶର ବିଳାସପୁରରୁ ପ୍ରଥମ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଦାୟିତ୍ବ ସମ୍ଭାଳିଥିଲେ । ତାପରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ସେ ବିଧାୟକ ଭାବେ ପୁନଃ ନିର୍ବାଚିତ ହୋଇ ହିମାଚଳ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଇଥିଲେ । ୨୦୦୭ରେ ବି ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆଉ ଥରେ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ।

୨୦୧୦ରେ ହିମାଚ଼ଳର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ସେ ଦାୟିତ୍ବ ନେଇଥିଲେ । ସେ କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ ସହ ଅନେକ ରାଜ୍ୟରେ ପ୍ରଭାରୀ ଦାୟିତ୍ବ ନେଇଥିଲେ । ୨୦୧୨ରେ ସେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ରେ ସେ ପୁଣି ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୧୪ରେ ସେ କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ, ସଂସଦୀୟ ଦଳର ସଚିବ ଭାବେ ମଧ୍ୟ ଦାୟିତ୍ବ ନେଲେ ।

ନଭେମ୍ବର ୨୦୧୪ରେ ସେ ଭାରତ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ । ସଂଗଠନାତ୍ମକ ଦୃଷ୍ଟିରୁ ସେ ଅନେକ ରାଜ୍ୟର ପ୍ରଭାରୀ ଓ ନିର୍ବାଚନ ପ୍ରଭାରୀ ଭାବେ ସଫଳତାର ସହ ଦାୟିତ୍ବ ଗ୍ରହଣ କରିଛନ୍ତି ।

Related Posts