ଜୁନାଗଡ କାଞ୍ଚନ ଜୁଏଲୋରୀ ଚୋରି ଘଟଣା ଜଣେ ଗିରଫ।୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମ ରୁପା ଜବତ।

(ସତ୍ୟପାଠ ବ୍ୟୁରୋ) ଭବାନୀପାଟଣା :ଗତ ମାର୍ଚ୍ଚ ୧୦ ତାରିଖ ଦିନ ସକାଳ ୯ଟା ବେଳେ ଜୁନାଗଡ କଲମପୁର ଛକ ନିକଟରେ ଥିବା କାଞ୍ଚନ ଜୁଏଲୋରୀରୁ କିଛି ଦୁର୍ବୃତ୍ତ ଏକ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ।ଏ ନେଇ ତୁରନ୍ତ ଦୋକାନ ମାଲିକ ରଞ୍ଜନ କୁମାର ସାହୁ ଜୁନାଗଡ ଥାନାରେ ଏକ ଏତଲା ଦେଇଥିଲେ।ଲିଖିତ ଅଭିଯୋଗ ଅନୁସାରେ ଦୋକାନ ମାଲିକ ଶ୍ରୀ ସାହୁ ପ୍ରତିଦିନ ଭଳି ମାର୍ଚ୍ଚ ୧୦ ତାରିଖ ଦିନ ସକାଳ ପ୍ରାୟ ୯ ଟା ବେଳେ ଏକ ସୁନା ରୁପା ବ୍ୟାଗ୍ ଧରି ଦୋକାନକୁ ଯାଇଥିଲେ।ନିକଟରେ ବ୍ୟାଗକୁ ଥୋଇଦେଇ ଦୋକାନର ତାଲା ଖୋଲୁଥିବା ବେଳେ ହଠାତ ଜଣେ ଯୁବକ ଦୃତ ଗତିରେ ଆସି ବ୍ୟାଗକୁ ଧରି ପୁର୍ବରୁ ଅପେକ୍ଷାରେ ଥିବା ଅନ୍ୟ ଏକ ବାଇକ୍ ରେ ବସି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ଉକ୍ତ ବ୍ୟାଗରେ ୨୫୦ ଗ୍ରାମ ସୁନା ଗହଣା ସମେତ ୩ କେଜି ରୁପା ଗହଣା ଥିବା ରଞ୍ଜନ ସାହୁ ନିଜ ଏତଲାରେ ଦର୍ଶାଇଥିଲେ।ଏହି ଏତଲାକୁ ଭିତ୍ତି କରି ଜୁନାଗଡ ଥାନା କେସ୍ ନଂ ୬୮/୨୦୨୧ ତା ୧୦|୩ରେ ଅଜ୍ଞାତ ଦୁର୍ବୃତ୍ତ ବିରୋଧରେ ଦଫା ୩୭୯,୩୪ ଆଇ.ପି.ସିରେ ମାମଲା ରୁଜୁ କରାଯାଇଥିଲା।ସବ୍ ଇନିସପେକ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ ଘଟଣାର ତଦନ୍ତ ଅଧିକାରୀ ଥିଲେ।
କୌଣସି ସୂତ୍ରରୁ ପୋଲିସ ସୂଚନା ପାଇବା ପରେ ଏହି ମାମଲାରେ ଜଡ଼ିତ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପିକେଲାପଲ୍ଲି ଗାଁର ୩୫ ବର୍ଷୀୟ ଦାଶ ସୁରେଶକୁ ଧରିବାରେ ସଫଳ ହୋଇଛି।ଏହା ସହ ଦାଶ ସୁରେଶ ଠାରୁ ୭୨ ଗ୍ରାମ ସୁନାଗହଣା ଓ ୮୦୦ ଗ୍ରାମ ରୁପା ଗହଣା ଜବତ କରାଯାଇଥିବା ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।ଏହା ସହ ଏହି ଘଟଣାରେ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ବହୁ ଶିଘ୍ର ଗିରଫ କରିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

Related Posts