ନିଅଣ୍ଟ ପଡିଲା ୬ବର୍ଷ, ପୁଣି ବଢ଼ିଲା ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ସତ୍ୟପାଠ ବ୍ୟୁରୋ : ଚିଟଫଣ୍ଡ ତଦନ୍ତକୁ ନେଇ ଶିଥିଳତା କ୍ଷତିଗ୍ରସ୍ତଙ୍କୁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଦେଉଥିବା ବେଳେ ଏହି କ୍ଷତରେ ମଲମ ମାରିବା ବଦଳରେ ପୁଣି ଲୁଣଛିଟା ମାରିଛନ୍ତି ଓଡିଶା ସରକାର । ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆହୁରି ୬ମାସ ପାଇଁ ବଢ଼ାଇ ଦେଇଛନ୍ତି ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃଆରୀ ୪ ତାରିଖ କମିଶନଙ୍କ ଡେଡ୍ ଲାଇନ ଥିବା ବେଳେ ଏହାର ଦିନକ ପୂର୍ବରୁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରି ରାଜ୍ୟର ସବୁଠାରୁ ବଡ ଘୋଟାଲା ଉପରେ ପୁଣି ଥରେ କବର ଚଢ଼ାଇ ଦେଇଛନ୍ତି ।

୨୦୧୩ ଜୁଲାଇ ମାସ ୯ ତାରିଖରେ ଚିଟଫଣ୍ଡ ସ୍କାମର ତଦନ୍ତ ପାଇଁ ଗଠନ କରାଯାଇଥିଲା କମିଶନ । ଏହାଭିତରେ ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଥିବା ୫ଟି ଅନ୍ତରୀଣ ରିପୋର୍ଟ ଜରିଆରେ ସରକାରଙ୍କୁ ଅବଗତ କରାଇଛନ୍ତି କମିଶନ । ୧୦ହଜାରରୁ କମ୍ ଟଙ୍କା ଚିଟଫଣ୍ଡ ନିବେଶକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ଜଣାପଡିଛି ।

ଏହା ପୂର୍ବରୁ ୨୦୧୮ ଅଗଷ୍ଟ ୫ରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜୁଲାଇ ୩୧ରେ ୬ମାସ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା । ଏହା ପୂର୍ବରୁ ୨୦୧୮ ଫେବୃଆରୀ ମାସରେ ମଧ୍ୟ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

ସବୁଠୁ ବଡ କଥା ହେଲା, ଏହାଭିତରେ ଅନେକ ଥର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଗଲାଣି । କିନ୍ତୁ ନା ତଦନ୍ତ ସରୁଛି, ନା ପଦକ୍ଷେପ ନିଆଯାଉଛି । ଓଲଟି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳୁଛି ଖାଲି ତାରିଖ୍ ପେ ତାରିଖ୍ ।

Related Posts