ସିବିଆଇର ନୂଆ ମୁଖ୍ୟ ହେଲେ ଋଷି କୁମାର ଶୁକ୍ଲା

ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କ ନାଁ ଘୋଷଣା ହୋଇଛି । ମଧ୍ୟପ୍ରଦେଶର ପୂର୍ବତନ ଡିଜିପି ଋଷି କୁମାର ଶୁକ୍ଲା ହୋଇଛନ୍ତି ସିବିଆଇର ନୂଆ ନିର୍ଦ୍ଦେଶକ । ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ କମିଟି ବୈଠକରେ ଆର୍‌ କେ ଶୁକ୍ଲାଙ୍କ ନାଁ ଉପରେ ମୋହର ଲାଗିଥିଲା । ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ବି ଅଛନ୍ତି ।

ସିବିଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ୩୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଥିଲେ । ତେବେ ସମସ୍ତଙ୍କଠାରୁ ଆଗରେ ଥିଲେ ମଧ୍ୟପ୍ରଦେଶର ପୂର୍ବତନ ଡିଜିପି ତଥା ବରିଷ୍ଠ ଆଇପିଏସ୍‌ ଆର୍‌. କେ ଶୁକ୍ଲା । ୧୯୮୫ ଆଇପିଏସ୍‌ କ୍ୟାଡରର ଆର୍‌ କେ ଶୁକ୍ଳା ୨୦୧୬ ଜୁଲାଇ ୧ରେ ମଧ୍ୟପ୍ରଦେଶର ପୁଲିସ୍‌ ମୁଖ୍ୟ ହୋଇଥିଲେ । ତେବେ ମାତ୍ର ଦୁଇ ଦିନ ତଳେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ଅବସର ନେଇଥିଲେ ।

କାର୍ଯ୍ୟ ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ଆର୍‌ କେ ଶୁକ୍ଲା ଅନ୍ୟମାନଙ୍କଠାରୁ ଆଗରେ ଥିଲେ । ଶ୍ରୀ ଶୁକ୍ଳାଙ୍କ ବ୍ୟତୀତ ସିଆର୍‌ପିଏଫ୍‌ ଡିଜି ଆର୍‌ଆର୍‌ ଭଟ୍ଟନାଗର, ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର(୧୯୮୪ ବ୍ୟାଚ୍‌), ଉତ୍ତର ପ୍ରଦେଶ କ୍ୟାଡରର ଜାଭେଦ ଅହମ୍ମଦ ଓ ଡିଜି(ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ) ଏପି ମାହେଶ୍ୱରୀ ମଧ୍ୟ ସିବିଆଇ ମୁଖ୍ୟ ଦୌଡ଼ରେ ଥିଲେ ।

ସିବିଆଇର ନଂ ୨ ଅଫିସର ଭାବେ କାର୍ଯ୍ୟ କରୁଥିବା ରାକେଶ ଆସ୍ଥାନା ମଧ୍ୟ ସିବିଆଇ ମୁଖ୍ୟ ପଦ ଦୌଡ଼ରେ ଥିଲେ ।

Related Posts