କେବଳ ବିରୋଧୀ ଦଳର ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଲଗାଇବା ପରିବର୍ତ୍ତେ ସିବିଆଇ ଦ୍ଵାରା ଅଯୋଧ୍ୟା ଜମି ଦୁର୍ନୀତି ମାମଲାର ଯାଞ୍ଚ କରନ୍ତୁ ମୋଦୀ : ସଞ୍ଜୟ ରାଉତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ମଧ୍ୟରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ ଜମି ଘୋଟାଲା ଅଭିଯୋଗ ଆସିବା ପରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ଏହି ତଥାକଥିତ ଘୋଟାଲାର ତଦନ୍ତ ଦାବି କରୁଛନ୍ତି। କଂଗ୍ରେସ ସମେତ ସପା ଏବଂ ଆମ୍ ଆଦମୀ ପାର୍ଟି ସିଵିଆଇ ଓ ଇଡ ତଦନ୍ତର ଦାବି କରୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ବିରୋଧୀଦଳ ନେତାଙ୍କ ପରେ କେନ୍ଦ୍ରୀୟ ଏଜେନ୍ସି ଲଗାଇଛନ୍ତି । ଏହା ଉଚିତ ନୁହେଁ ମୋଦୀ ଜୀ ବିରୋଧୀ ଦଳର ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଲଗାଇବା ପରିବର୍ତ୍ତେ ଅଯୋଧ୍ୟା ଜମି ଘୋଟାଲାର ପର୍ଦ୍ଦାଫାସ୍ ପାଇଁ ସିବିଆଇ ଏବଂ ଇଡିକୁ ବ୍ୟବହାର କରିବା ଦରକାର । ରାଉତ ଏକ ଆର୍ଟିକିଲରେ କହିଛନ୍ତି ଯେ ଶାସକ ଦଳ ବିରୋଧୀ ଦଳର ନେତାଙ୍କ ବିରୋଧରେ ସେଣ୍ଟ୍ରାଲ ଏଜେନ୍ସି ବ୍ୟବହାର କରନ୍ତି କିନ୍ତୁ ଯେତେବେଳେ ସେମାନେ କ୍ଷମତାରୁ ବାହାରି ଯାଆନ୍ତି, ଏଜେନ୍ସିମାନେ ମଧ୍ୟ ସେମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତି । ସେ ତାଙ୍କ ଲେଖାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ରାଉତ ଲେଖିଛନ୍ତି ଯେ ପୂର୍ବରୁ ଅମିତ ଶାହାଙ୍କ ବିରୋଧରେ ସିବିଆଇ ଦ୍ୱାରା ଏକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ଦୀର୍ଘ ସମୟ ଧରି ଜାମିନ ମିଳିନଥିଲା । କିନ୍ତୁ ବିଜେପି କ୍ଷମତାକୁ ଆସିବା ମାତ୍ରେ ସିବିଆଇ ତଦନ୍ତ ବନ୍ଦ ହୋଇଯାଇଥିଲା। ଅଯୋଧ୍ୟା ଜମି ଦୁର୍ନୀତି ସମ୍ପର୍କରେ ସେ କହିଛନ୍ତି ଯେ ଏଥିରେ ବିଜେପି ନେତା ହ୍ରିକେଶ ଉପାଧ୍ୟାୟଙ୍କ ନାମ ମଧ୍ୟ ଆସିଛି, ଏପର୍ଯ୍ୟନ୍ତ କୌଣସି ତଦନ୍ତ କରାଯାଇ ନାହିଁ । ରାଉତ ଅଯୋଧ୍ୟା ଜମି ବିବାଦର ସିବିଆଇ ଏବଂ ଇଡି ତଦନ୍ତ ଦାବି କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ଶ୍ରୀ ରାମ ଜନ୍ମଭୂମି ନିର୍ମାଣ କାର୍ଯ୍ୟରେ ଏକ ବଡ ଘୋଟାଲା ସାମ୍ନାକୁ ଆସିଛି, ତେଣୁ ଏହାକୁ ସିବିଆଇ ଏବଂ ଇଡି ଦ୍ୱାରା ଅନୁସନ୍ଧାନ କରାଯିବା ଉଚିତ। ସୂଚନାଯୋଗ୍ୟ ଯେ ଯେ ଅଯୋଧ୍ୟାରେ 890 ବର୍ଗ ମିଟର ଜମିକୁ ବିଜେପି ମେୟର ହ୍ରିକେଶ ଉପାଧ୍ୟାୟଙ୍କ ଭଣଜା ଦୀପ ନାରାୟଣ ଫେବୃଆରୀରେ ନାଜୁଲ ଜମି (ସରକାରଙ୍କ ଦ୍ବାରା ଭଡାରେ ଦିଆଯାଇଥିବା ଜମି) 20 ଲକ୍ଷ ଟଙ୍କାରେ କିଣି ଏହାକୁ ମେ ମାସରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ 2.5 କୋଟିରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ସେହିପରି ଆଉ ଏକ ଜମି ବିବାଦରେ ସୁଲତାନ ଅନସାରୀ ଏବଂ ରବି ମୋହନ ତିୱାରୀ 2 କୋଟି ଟଙ୍କାରେ ଜମି କିଣିବା ପରେ ସେହି ଜମିକୁ ରାମ ମନ୍ଦିରର ଟ୍ରଷ୍ଟି ଚମ୍ପତ ରାୟଙ୍କୁ 18.5 କୋଟିରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏହି ଜମି କ୍ରୟରେ ରାମ ଜନ୍ମଭୂମି ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ର ଏବଂ ଅଯୋଧ୍ୟା ମେୟର ରିଷିକେଶ ଉପାଧ୍ୟାୟ ମଧ୍ୟ ସାକ୍ଷୀ ଥିଲେ। ଏହି ବିବାଦରେ ଅଯୋଧ୍ୟା ମେୟରଙ୍କ ନାମ ଆସିଥିବା ହେତୁ ବିରୋଧୀ ଲଗାତାର ବିଜେପିକୁ ଟାର୍ଗେଟ କରିବା ସହ ତଦନ୍ତ ଦାବି କରୁଛନ୍ତି।

Related Posts