ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କମିଲା ଟିକା ଦର । ଘରୋଇ ଡାକ୍ତରଖାନରେ ୨୨୫ ଟଙ୍କାରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ସେପଟେ ଗତକାଲି କୋଭିସିଲ୍ଟ ଟିକା ଟ୍ୟାକ୍ସକୁ ଛାଡ଼ି ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କହିଥିଲେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା। ହେଲେ ଆଜି ଏଥିରେ ପରିବର୍ତ୍ତନ ଅଣାଯାଇ କୋଭିସିଲ୍ଟ ଟିକା ମୂଲ୍ୟକୁ ୨୨୫ଟଙ୍କା କରାଯାଇଥିବା ଟ୍ବିଟ କରି କହିଛନ୍ତି ପୁନାୱାଲା। ଏହା ସହ କୋଭାକ୍ସିନ ଟିକାର ମୂଲ୍ୟ ମଧ୍ୟ ୧୨୦୦ଟଙ୍କାରୁ ହ୍ରାସ ପାଇ ୨୨୫ଟଙ୍କା ହୋଇଥିବା କହିଛନ୍ତି ଭାରତ ବାୟୋଟେକ୍ ସହ-ସଂସ୍ଥାପକ ସୁଚିତ୍ରା ଏଲ୍ଲା। ଏହି ଦାମ ସହ ସେବା ଚାର୍ଜ ଭାବରେ ଘରୋଇ କ୍ଲିନିକ୍ ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ଆଦାୟ କରିପାରିବେ।
ଦେଶର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକା ଖର୍ଚ୍ଚଠାରୁ ଟିକାକରଣ ପାଇଁ ସେବା ଚାର୍ଜ ଭାବରେ ଘରୋଇ ଟିକା କେନ୍ଦ୍ରଗୁଡ଼ିକ ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ପର୍ୟ୍ୟନ୍ତ ଚାର୍ଜ କରିପାରିବେ ବୋଲି କହିଛନ୍ତି । ଅନ୍ୟପଟେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରଥିଲେ ଯେ ୧୮ ବର୍ଷରୁ ଅଧିକ ବୟସ ଗୋଷ୍ଠୀର ସମସ୍ତେ ଟିକାର ଦ୍ୱିତୀୟ ଡୋଜ୍ ପାଇବାର ନଅ ମାସ କିମ୍ବା ୩୯ ସପ୍ତାହ ପରେ ଏପ୍ରିଲ ୧୦ରୁ ସତର୍କତାମୂଳକ ତୃତୀୟ ଡୋଜ୍ ପାଇଁ ଯୋଗ୍ୟ ହେବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
