ବଢିଲା ରାମଦେବଙ୍କ ଅଡୁଆ : ଏଲୋପାଥି ବିରୋଧରେ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗରେ ଛତିଶଗଡ଼ ପୋଲିସରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାବା ରାମଦେବଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଛତିଶଗଡର ରାୟପୁରରେ ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍-19 ଚିକିତ୍ସାରେ ଦିଆଯାଉଥିବା ଏଲୋପାଥିକ୍ ମେଡିସିନ୍ କୁ ନେଇ ଭୁଲ୍ ତଥ୍ୟ ଦେଉଥିବା ଅଭିଯୋଗରେ ତାଙ୍କ ନାଁରେ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ଛତିଶଗଡ ୟୁନିଟ୍ ମାମଲା ରୁଜୁ କରିଛି । ରାୟପୁର ଏସଏସପି ଅଜୟ ଯାଦବଙ୍କ ସୂଚନା ମୁତାବକ , ରାମଦେବ ବାବାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯ ଏବଂ ୫୦୪ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି । ଆଇପିସି ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଆଇଏମଏ ଛତିଶଗଡ଼ର ହସ୍ପିଟାଲ ବୋର୍ଡ ଚେୟାରମ୍ୟାନ୍ ଡକ୍ଟର ରାକେଶ ଗୁପ୍ତା, ଆଇଏମଏର ରାୟପୁର ସଭାପତି ବିକାଶ ଅଗ୍ରୱାଲ ଏହି ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ଏକ ବର୍ଷ ଧରି ରାମଦେବ ସୋସିଆଲ ମିଡ଼ିଆ ଏବଂ ଅନ୍ୟ ପ୍ଲାଟଫର୍ମରେ କରୋନା ପାଇଁ ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଏବଂ ଆଇଏମ୍ଏ ଦ୍ବାରା ବ୍ଯବହୃତ ଔଷଧ ବିରୋଧରେ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଅଛି ଯେଉଁଥିରେ ସେ ଏପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଯେତେବେଳେ ଡକ୍ଟର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀ ମାନେ କୋଭିଡ୍ ସହ ମୁକାବିଲା କରୁଛନ୍ତି ବାବା ରାମଦେବ ସେହି ସମୟରେ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଆଧୁନିକ ଚିକିତ୍ସା ସୁବିଧା ଏବଂ ଏଲୋପାଥି ଔଷଧରେ ୯୦ ପ୍ରତିଶତ ରୋଗୀ ଆରୋଗ୍ୟ ହେଉଥିବା ବେଳେ ରାମଦେବଙ୍କ ଏଭଳି ମନ୍ତବ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଇବ ବୋଲି ଅଭିଯୋଗ ହୋଇଛି। ତେବେ ପୋଲିସ ଅଧିକାରୀ କହିଛନ୍ତି ଯେ,” ଅଭିଯୋଗର ଅନୁସନ୍ଧାନରୁ ଯେ ତାଙ୍କ ବୟାନ ଗତ ବର୍ଷ ମାର୍ଚ୍ଚ ୧୩ ତାରିଖ ଦିନ ଛତିଶଗଡ ସରକାରଙ୍କ ବିଜ୍ଞପ୍ତିକୁ ଉଲ୍ଲଂଘନ କରୁଛି। “

Related Posts