ପୁରୀରେ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଫାଶୀ ଦଣ୍ଡ ଦଫା

(ସତ୍ୟପାଠ ବ୍ୟୁରୋ) ପୁରୀ ଯୁବତୀଙ୍କୁ ସାହାଯ୍ୟ ଦେବା ଆଳରେ ନିମାପଡ଼ାରୁ ନେଇ ପୋଲିସ କ୍ବାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଫାଶୀ ଦଣ୍ଡ ପାଇଁ ଦଫା ଲଗାଇଲା ପୋଲିସ । ୨୦ ଦିନ ଭିତରେ ମାମଲାର ଚାର୍ଜସିଟ୍ କରିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ।

ଡିଆଇଜି କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀକୁ ଗିରଫ କରାଯାଇଛି । ମାମଲାରେ ମୋଟ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଏହାକୁ ସ୍ପେଶାଲ୍ କେସ୍ ଭାବେ ଗ୍ରହଣ କରାଯାଇଛି । ତେଣୁ ୪ ଟି ଟିମ୍ ଗଠନ କରାଯାଇଛି । ଫାଷ୍ଟଟ୍ରାକରେ ବିଚାର କରିବାକୁ ଆମେ କୋର୍ଟରେ ନିବେଦନ କରିବୁ । ଏଥିପାଇଁ ସ୍ଵତନ୍ତ୍ର ଓକିଲ ଦେବ ପୋଲିସ । ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚିନ୍ତା କରିବୁ । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ନାଁରେ ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଚାକିରିରେ ନଥାଇ ମଧ୍ୟ ପୋଲିସ ପରିଚୟପତ୍ର ବ୍ୟବହାର ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୩, ୩୭୬, ୩୯୪ ଏବଂ ୬ ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି । ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି ଡିଆଇଜି ଆଶିଷ ସିଂହ ।

ସୂଚନା ଅନୁସାରେ ଗତ ସୋମବାର ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନିମାପଡ଼ା ବସ ଷ୍ଟାଣ୍ଡରେ ଜଣେ ଯୁବତୀ କାକଟପୁର ନିଜ ଘରକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ କାରରେ ଚାରି ଜଣ ଆସି କାକଟପୁର ଘରେ ଛାଡ଼ିଦେବାକୁ କହି ଉଠାଇ ନେଇଥିଲେ। ଅଭିଯୁକ୍ତ ପୋଲିସର ପରିଚୟ ଦେଇ ଯୁବତୀଙ୍କୁ ନିମାପଡ଼ାରୁ ଉଠାଇ ପୁରୀ ନେଇ ଆସିଥିଲେ। ସେଠାରେ ଝାଡ଼େଶ୍ଵରୀ ମନ୍ଦିର ନିକଟସ୍ଥ ପୋଲିସ କ୍ଵାର୍ଟର୍ସରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଯୁବତୀଙ୍କ ସହ ଅମାନୁଷିକ କାଣ୍ଡ କରିଥିବା ବେଳେ ପୀଡିତା ଅଭିଯୁକ୍ତଙ୍କ ପର୍ସଙ୍କୁ ଅକ୍ତିଆର କରିନେଇଥିଲେ । 3 ଦିନ ପୂର୍ବରୁ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ବଳାତ୍କାର ଓ ପୋଡ଼ି ହତ୍ୟା କରିବା ନିଆଁ ଲିଭିନଥିବା ବେଳେ ଶ୍ରୀକ୍ଷେତ୍ରରେ ପୁଣି ଏକ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

Related Posts