କର୍ଣ୍ଣାଟକ ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପାଖାପାଖି ୧୦ ଦିନ ହେଲା ଚାଲିଥିବା କର୍ଣ୍ଣାଟକ ହିଜାବ ମାମଲା । ଯାହା ଆଜି ଶେଷ ହୋଇଛି । କୋର୍ଟ ମାମଲାର ଶୁଣାଣୀ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିରେ କୋର୍ଟ ହିଜାବର ସମର୍ଥନରେ ୨୦ରୁ ଅଧିକ ଓକିଲ, କର୍ଣ୍ଣାଟକ ସରକାର ଓ ଶିକ୍ଷକଙ୍କ ପକ୍ଷରୁ ଉପସ୍ଥାପିତ ଓକିଲଙ୍କ ତର୍କ ଶୁଣିଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍ ସୁଧାଂଶୁ ଧୂଲିଆଙ୍କ ବେଞ୍ଚ ରାୟ ସଂରକ୍ଷିତ ରଖିବା କାଳରେ ଏବେ ଆମର ହୋମୱାର୍କ ସମୟ ହୋଇଯାଇଥିବା କହିଛନ୍ତି।

ଆବେଦନକାରୀମାନେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୫ ତାରିଖ ଦିନ ରାୟ ଦେଇଥିଲେ। ଏଥିରେ ମହିଳା ହିଜାବ ପିନ୍ଧିବା ଇସ୍ଲାମର ଅନିବାର୍ଯ୍ୟ ଅଂଶ ନୁହେଁ ଓ ସ୍କୁଲ କଲେଜରେ ୟୁନିଫର୍ମ ପାଳନ ଲାଗିରାଜ୍ୟ ସରକାରଙ୍କ ଆଦେଶ ଉପଯୁକ୍ତ ବୋଲି ହାଇକୋର୍ଟ କହିଥିଲେ। ତେବେ କିଛି ଆବେଦନକାରୀ ହିଜାବ ପିନ୍ଧିବା ମୁସଲମାନ ଝିଅମାନଙ୍କର ଅଧିକାର ବୋଲି କହି ସିଧା ସୁପ୍ରିମକୋର୍ଟକୁ ଯାଇଥିଲେ।

ହିଜାବ ସମର୍ଥକ ଓକିଲଙ୍କର କହିବା କଥା ହେଲା ହିଜାବ ଇସ୍ଲାମର ଅନିବାର୍ଯ୍ୟ ଧାର୍ମିକ ପରମ୍ପରା କି ନୁହେଁ ତାହା କୋର୍ଟ ନିର୍ଦ୍ଧାରିତ କରିବା ବଦଳେ ମହିଳାଙ୍କ ଅଧିକାର ଭାବେ ଦେଖିବାକୁ ନିବେଦନ କରିଥିଲେ। ତେବେ କିଛି ଲୋକଙ୍କ ଲାଗି ଏହା ଅନିବାର୍ଯ୍ୟ ପରମ୍ପରା ହୋଇପାରେ ତ କିଛି ଲୋକଙ୍କ ପାଇଁ ନୁହେଁ। ଯଦି କୌଣସି ଧାର୍ମିକ ପରମ୍ପରା ଅନିବାର୍ଯ୍ୟ ନୁହେଁ ଏହାର ଅର୍ଥ ନୁହେଁ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଦେବେ ବୋଲି କୁହାଯାଇଥିଲା।

ମୌଳିକ ଅଧିକାରରେ ହୁଏତ ପ୍ରତିବନ୍ଧକ ଥାଇପାରେ ତେବେ ଏହା ସେତେବେଳେ ସମ୍ଭବ ଯେତେବେଳେଏହା ଆଇନଶୃଙ୍ଖଳା, ନୈତିକତା ବା ସ୍ୱାସ୍ଥ୍ୟର ବିପରୀତ ହେବ। ଏଠାରେ ଝିଅମାନଙ୍କର ହିଜାବ ପିନ୍ଧିବା ନା ଆଇନଶୃଙ୍ଖଳା ବିରୋଧରେ ନା ନୈତିକତା କି ସ୍ୱାସ୍ଥ୍ୟର ପରିପନ୍ଥି ବୋଲି ସପକ୍ଷବାଦୀ ମାନେ କହିଥିଲେ। ଏଥିରେ ଓକିଲମାନେ କହିଥିଲେ ଯେ କର୍ଣ୍ଣାଟକରେ ହିଜାବ ଉପରେ ବ୍ୟାନ ଯୋଗୁ ଏପର୍ଯ୍ୟନ୍ତ ୧୭ ହଜାର ଛାତ୍ରୀ ସ୍କୁଲ ଛାଡିସାରିଛନ୍ତି। ଯଦି ହିଜାବ ଉପରେ ବ୍ୟାନ ଜାରି ରହିଲା ସେମାନେ ପୂର୍ବ ପରି ମଦରସା ଯିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି ।

Related Posts