ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଜଣେ ଆଇବି କର୍ମଚାରୀଙ୍କ ଭାଇଙ୍କୁ କେଜ୍ରିୱାଲ ସରକାର ଏକ ସରକାରୀ ଚାକିରି ଦେଇଛନ୍ତି। ଦିଲ୍ଲୀ ହିଂସାରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ସହିଦଙ୍କ ପରିବାରକୁ ସରକାରୀ ଚାକିରି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ମଣିଷର ଅଭାବ କେବେ ପୂରଣ ହୋଇପାରିବ ନାହିଁ, କିନ୍ତୁ ଏହି ସରକାରୀ ଚାକିରୀ ଏବଂ ଏକ କୋଟି ଟଙ୍କାର ସହାୟତା ପରିବାରକୁ ଶକ୍ତି ଯୋଗାଇବ। ଭବିଷ୍ୟତରେ ପରିବାରକୁ ସାହାଯ୍ୟ କରିବା ପାଇଁ ସବୁ ସମ୍ଭବ କାର୍ଯ୍ୟ ଆମେ କରିବୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ଅନ୍ୟପଟେ ଫେବୃଆରୀ ୨୦୨୦ ରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ଆରମ୍ଭ ହୋଇଥିଲା ଯେଉଁଥିରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ। ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ନିଖୋଜ ହେବାର ଗୋଟିଏ ଦିନ ପରେ ଚାନ୍ଦ ବାଗ ଅଞ୍ଚଳରେ ଥିବା ତାଙ୍କ ଘର ଡ୍ରେନରୁ ତାଙ୍କ ମୃତଦେହ ମିଳିଥିଲା। ସେପଟେ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ଷଡଯନ୍ତ୍ରରେ ଜାମିନ ପାଇବା ପରେ କଂଗ୍ରେସର ପୂର୍ବତନ କାଉନସିଲର ଇସରିତ ଜାହାନଙ୍କୁ ତିହାଡ ଜେଲରୁ ମୁକ୍ତ କରାଯାଇଛି। ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି ପ୍ରାୟ ୭.୪୫ ସମୟରେ ଇସରିତ ଜାହାନଙ୍କୁ ମାଣ୍ଡୋଲି ଜେଲରୁ ମୁକ୍ତ କରାଯାଇଛି। ୨୦୨୦ ଦିଲ୍ଲୀର ଦଙ୍ଗା ଷଡଯନ୍ତ୍ର ସହ ଜଡିତ ଏକ ମାମଲାରେ ଦିଲ୍ଲୀର ଏକ କୋର୍ଟ ଜାହାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।