ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଫେକ ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ କେନ୍ଦ୍ରସରକାର ପ୍ରସ୍ତୁତ ହେଉଛନ୍ତି: କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଇଡି ସହାୟତାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏକ ମିଛି ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଯାଇଛି । ଏବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ସେ ଆମ ମନ୍ତ୍ରୀମାନଙ୍କୁ ଗୋଟିଏ ପରେ ଗୋଟିଏ ନୁହେଁ ବରଂ ଏକାଠି ଗିରଫ କରନ୍ତୁ । ଗିରଫଦାରୀକୁ ଆମେ ଭୟ କରୁ ନାହୁଁ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ସେପଟେ ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ମନୀଷ ସିସୋଦିଆଙ୍କୁ ଗିରଫ କରିବ । ମନୀଷଙ୍କ ବିରୋଧରେ କିଛି ନକଲି ମାମଲା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥାକୁ କହିଛନ୍ତି । ମନୀଷ ହେଉଛନ୍ତି ସର୍ବୋତ୍ତମ ଶିକ୍ଷା ମନ୍ତ୍ରୀ । ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ ଲକ୍ଷ ପିଲା ଅଧ୍ୟୟନ କରନ୍ତି । ମନୀଷ ଜୀ ଏହି ପିଲାମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭରସା ଦେଇଛନ୍ତି । ମୁଁ ଭାବୁଛି ସତ୍ୟେନ୍ଦ୍ର ଜୈନ ଏବଂ ମନୀଷଙ୍କୁ ମିଛ ମାମଲାରେ ଜେଲରେ ରଖି ଏମାନେ ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କରାଯାଉଥିବା ଭଲ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ତାହା ହେବାକୁ ଦେବି ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts