ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ଦିଲ୍ଲୀ ଫର୍ମୁଲା : ଆପ୍ କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ମାଗଣା ବିଜୁଳି, ବକେୟା ବିଲ୍ ଛାଡ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ ହୋଇଯାଇଛି। ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରାଯାଇଛି। ଦିଲ୍ଲୀ ମଡେଲ୍ ଏବେ ପଞ୍ଜାବରେ ମଧ୍ୟ ଲାଗୁ କରିବାକୁ ଯାଉଛନ୍ତି କେଜରିୱାଲ। ନର୍ବାଚନରେ ଜିତିଲେ ମାଗଣା ବିଜୁଳି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ କେଜ୍ରିୱାଲ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଆଗରେ ରଖି କେଜ୍ରିୱାଲ ଘୋଷଣା କରିଛନ୍ତି ଯେ , ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ। ଏହା ସହ ୨୪ ଘଣ୍ଟା ବିଜୁଳି ଯୋଗାଣର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଞ୍ଜାବରେ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ସତ୍ବେ ଏଠାରେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମିଳିଥାଏ । ପଞ୍ଜାବର ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରୁଥିବା ସତ୍ତ୍ୱେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ପଞ୍ଜାବରେ ସବୁଠାରୁ ମହଙ୍ଗା ବିଦ୍ୟୁତ କାହିଁକି ମିଳେ ବୋଲି ସେ ପ୍ରଶ୍ନ କରିଛନ୍ତି ? ଦିଲ୍ଲୀର ଉଦାହରଣ ଦେଇ ସେ କହିଛନ୍ତି ସେଠାରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ ନାହିଁ । ବିଦ୍ୟୁତ୍ କିଣିବାକୁ ପଡିଥାଏ । ଏହା ସତ୍ତ୍ୱେ ଦିଲ୍ଲୀବାସୀଙ୍କୁ ଶସ୍ତାରେ ବିଦ୍ୟୁତ୍ ପ୍ରଦାନ କରାଯାଉଛି । ସେହିପରି ପଞ୍ଜାବରେ ଆମ ଆଦମି ପାର୍ଟି କ୍ଷମତାକୁ ଆସିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ଏବଂ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ, କିନ୍ତୁ ବିଲ୍ ଆସିବ ନାହିଁ ବୋଲି କେଜରିୱାଲ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୩୦୦ ୟୁନିଟ୍ ମାଗଣା ବିଜୁଳି ଦିଆଗଲେ ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ ହୋଇଯିବ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପୁରୁଣା ସମସ୍ତ ବିଜୁଳି ବିଲ୍ ମଧ୍ୟ ଛାଡ଼୍ କରାଯିବ । ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ । କ୍ଷମତାକୁ ଆସିବା ମାତ୍ରେ ପ୍ରଥମେ ୩୦୦ ୟୁନିଟ୍ ମାଗଣା ବିଜୁଳି, ପୁରୁଣା ବିଲ୍ ଛାଡ଼୍ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଅନ୍ୟପଟେ ୨୪ ଘଣ୍ଟା ବିଜୁଳି ଯୋଗାଣ ପାଇଁ କିଛି ସମୟ ଲାଗିବ, ଏଥିପାଇଁ ନୂଆ ଭିତ୍ତିଭୂମି ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ କିଛିଦିନ ତଳେ ଅକାଳୀ ଦଳ ବିଏସପି ସହ ଗଠବନ୍ଧନ କରିଛି। ତେବେ ସତ୍ତାଧାରୀ କଂଗ୍ରେସ କିନ୍ତୁ ଦଳୀୟ କନ୍ଦଳ ସମାଧାନରେ ଲାଗିଛି। ଦଳର ନେତା ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତ କରୁଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଅସନ୍ତୁଷ୍ଟ କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related Posts